Categories: ଜାତୀୟ

ଦେଶ ସ୍ବାଧୀନତା ପାଇଁ ଏଭଳି ପଦବୀ ଛାଡିଥିଲେ ନେତାଜୀ

ସାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ। ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ। ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ। ଅନ୍ୟ ଭଉଣୀଭାଇଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା। ୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ। ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ।
ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ। ପ୍ରେସିଡେନ୍ସି କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ। ୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ରେ ଭାରତୀୟ ସିଭିଲ୍‌ ସର୍ଭିସ୍‌ (ଆଇ.ସି.ଏସ) ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ। ଏଭଳି ନିଷ୍ପତ୍ତିକୁ ତାଙ୍କ ପିତା ବିରୋଧ କରିଥିଲେ। ଏହାପରେ ସୁଭାଷ ଚନ୍ଦ୍ର ବୋଷ ବଡ ଭାଇଙ୍କୁ ଚିଠି ଲେଖି କହିଥିଲେ, ଇଂଲଣ୍ଡ ରାଜାଙ୍କ ପ୍ରତି କଥାରେ ଚାଲିବା ପାଇଁ ଶପଥ ନେବା ପୂର୍ବରୁ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଉଚିତ୍‌ ମନେ କଲି। ଏହାପରେ ସେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।

Share