ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରମାଣପତ୍ର ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶ ଓ ତରଭା ଆଇଆଇସି ଡୋଲାମଣି ଭୋଇଙ୍କୁ ପ୍ରଦାନ କରାଯାଇଛି। ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ବୁଧବାର ଏକ ସ୍ବତନ୍ତ୍ର ଉତ୍ସବରେ ମୋମେଣ୍ଟୋ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଡିଜିପି ଶର୍ମା ସୁବର୍ଣ୍ଣପୁର ଏସ୍‌ପି, ତରଭା ଆଇଆଇସି ଓ ତରଭା ଥାନାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉତ୍ସବରେ ବରିଷ୍ଠ ପୋଲିସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ, ବିନୟତୋଷ ମିଶ୍ର, ସଞ୍ଜୀବ୍‌ ପଣ୍ଡା, ପି.ଏସ୍‌. ରଣପିସେ, ଅସିତ ପାଣିଗ୍ରାହୀ, ସିଫେନ ଅହମ୍ମଦ, ସନ୍ଦୀପ ମଦକାର ଓ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ସ୍ମାର୍ଟ ପୋଲିସିଂ, ଅପରାଧ ନିୟନ୍ତ୍ରଣ, ସାମାଜିକ କାର୍ଯ୍ୟ, ଆମ ପୋଲିସ ସମିତ କାର୍ଯ୍ୟ, ପୋଲିସର ଜନସାଧାରଣଙ୍କ ପ୍ରତି ବ୍ୟବହାର, ଅଭିଯୋଗର ସମାଧାନ ଏବଂ କ୍ରାଇମ୍‌କ୍ରିମିନାଲ ଟ୍ରାକିଂ ନେଟୱାର୍କିଂ ସିଷ୍ଟମ ଭଳି ମାପଦଣ୍ଡକୁ ନେଇ ପୂର୍ବରୁ ସର୍ଭେ ହୋଇଥିଲା। କ୍ବାଲିଟି କାଉନସିଲ ଅଫ୍‌ ଇଣ୍ଡିଆ(କ୍ୟୁସିଆଇ) ପକ୍ଷରୁ ଦେଶର ସବୁ ଥାନାରେ ଏଭଳି ସର୍ଭେ କରାଯାଇଥିଲା। ପୋଲିସର କାର୍ଯ୍ୟ ସମ୍ପର୍କରେ ସାଧାରଣ ଲୋକ, ମହିଳା, ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ମତ ନିଆ ଯାଇଥିଲା। ଏହି ସମୟରେ ସୁରୁବାବୁ ଛତ୍ରିଆ ତରଭା ଥାନାର ଅଧିକାରୀ ଥିଲେ।