Categories: ଜାତୀୟ

ଦେଶର ସବୁଠୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍‌-୩୦ ଉତ୍‌କ୍ଷେପଣ: ବଢିବ ଇଣ୍ଟରନେଟ୍‌ ସ୍ପିଡ୍‌

ବେଙ୍ଗାଲୁରୁ,୧୭।୧:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପୁଣି ଇତିହାସ ରଚିଛି। ଦେଶର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍‌-୩୦ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଫ୍ରେଞ୍ଚ ଗୁଏନାର କୋରୋଉ ଲଞ୍ଚପ୍ୟାଡରୁ ୟୁରୋପିଆନ ହେଭି ରକେଟ ଏରିୟନ-୫ ଦ୍ୱାରା ଏହାକୁ ଶୁକ୍ରବାର ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯାଇଛି। ଏହି ଉପଗ୍ରହ ଉତ୍‌କ୍ଷେପଣ ହେବା ପରେ ଦେଶରେ ସଞ୍ଚାର ତଥା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ। ଏହା ସାହାଯ୍ୟରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ଆସିବ ଓ ସାରା ଦେଶରେ ମୋବାଇଲ ନେଟୱର୍କ ଉପଲବ୍ଧ ହେବ। ଏହା ସହିତ ଇଣ୍ଟରନେଟ ସ୍ପିଡ ମଧ୍ୟ ବଢିବ।
ଜିସାଟ-୩୦ର ଓଜନ ପ୍ରାୟ ୩୧ଶହ କିଲୋଗ୍ରାମ ରହିଛି। ଉତ୍‌କ୍ଷେପଣ ହେବା ପରେ ଏହା ୧୫ ବର୍ଷ ପର୍ଯ୍ୟନ୍ତ ପୃଥିବୀ ଉପରେ ଭାରତ ପାଇଁ କାମ କରିବ। ଏହା ଦେଶର ସଞ୍ଚାର ପ୍ରଣାଳୀ, ଟେଲିଭିଜନ ପ୍ରସାରଣ, ସାଟେଲାଇଟ ଜରିଆରେ ସମାଚାର ପରିଚାଳନା, ପାଣିପାଗ ସୂଚନା ଆଦି କାର୍ଯ୍ୟରେ ବହୁତ ସହାୟକ ହେବ। ସମ୍ପ୍ରତି ମହାକାଶରେ ଜିସାଟ ସିରଜର ୧୪ଟି ଉପଗ୍ରହ କାର୍ଯ୍ୟ କରୁଛି।

Share