Categories: ଜାତୀୟ

ଦେଶବାସୀଙ୍କୁ ମୋଦିଙ୍କ ଅପିଲ୍‌: ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖି ଫଟୋ ଟୁଇଟ୍‌ କରନ୍ତୁ, ମୁଁ ରିଟୁଇଟ୍‌ କରିବି

ନୂଆଦିଲ୍ଲୀ,୬।୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଅବତରଣ ପୂର୍ବରୁ ସେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ଦେଶବାସୀଙ୍କୁ ଅପିଲ୍‌ କରି କହିଛନ୍ତି, ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ନିଶ୍ଚିତ ଦେଖନ୍ତୁ ଏବଂ ଏହାର ଫଟୋ ଟୁଇଟ୍‌ କରନ୍ତୁ। ମୁଁ ରିଟୁଇଟ୍‌ କରିବି। ସୂଚନାଯୋଗ୍ୟ, ୭ ସେପ୍ଟେମ୍ବର ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ରୋଭର ପ୍ରଜ୍ଞା ସହିତ ହିଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ମୁଖ୍ୟାଳୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସିଧାପ୍ରସାରଣ କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବା ପାଇଁ ମୋଦିଙ୍କ ସହ ଦେଶର ୬୦ ଜଣ କୁନି ସ୍କୁଲ ପିଲା ସାମିଲ ହେବେ।

Share