ଦେବଦୂତ ସାଜିଲେ ଡାକ୍ତର: ଅନାଥ ପିଲାକୁ ଭାରରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି,୧୭।୯(ସ୍ବ.ପ୍ର): ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ବଣ୍ଡାଘାଟି ବଡ଼ଡୁରାଲ ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଜଣେ ୧୨ ବର୍ଷର ଅନାଥ ପିଲା କମୁଳୁ କିରସାନିଙ୍କ ପେଟ ଫୁଲିବା ଯୋଗୁ ସେ କଷ୍ଟ ଭୋଗୁଥିଲେ। ଏ ନେଇ ଗାଁ ଲୋକ ଆରୋଗ୍ୟ ପ୍ଲସ୍‌କୁ ଖବର ଦେଇଥିଲେ। ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ କାମ କରୁଥିବା ଟାଗୋର ସୋସାଇଟିର ଆରୋଗ୍ୟ ପ୍ଲସ୍‌ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ଚିକିତ୍ସା ପାଇଁ ଆଣିବାକୁ ଯାଇଥିଲେ। ମାତ୍ର ଉକ୍ତ ଗ୍ରାମକୁ ରାସ୍ତା ନ ଥିବାରୁ ଗାଁଠାରୁ ୫ କି.ମି. ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ସେଠାରୁ ଡାକ୍ତର ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର ଚାଲିଚାଲି ଗାଁକୁ ଯାଇ ଅସୁସ୍ଥ କମୁଳୁଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଯିବାକୁ ଗାଁ ଲୋକକୁ କହିଥିଲେ। ମାତ୍ର ଗାଁଲୋକେ କେହି ନ ବାହାରିବାରୁ ବାଧ୍ୟହୋଇ ଡାକ୍ତର ଦେବଦୂତ ସାଜି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ୫ କିମି ପାହାଡ଼ିଆ ରାସ୍ତା, ନାଳ ପାରହୋଇ ଭାରରେ ଅସୁସ୍ଥ କମୁଳୁଙ୍କୁ ବୋହି ବେଲବାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ସେ ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଡାକ୍ତରଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।