ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳ କାଠ ଜବତ: ଚୋରା କାଠ ବେପାରୀ ଫେରାର

ପାଟଣା,୨୧।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋରାସ ଗ୍ରାମ ଖମଣ ସାହିର ହୁଡ଼ିରେ ଥିବା ୨୪ଟି ମୂଲ୍ୟବାନ ଶାଳ ଗଛକୁ ଚୋରା କାଠ ବେପାରୀମାନେ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବନ ବିଭାଗ ପହଞ୍ଚି ଶାଳ କାଠ ଜବତ କରିଛି। ମାତ୍ର ବନ ବିଭାଗ ଗାଡ଼ି ଲାଇଟ ଦେଖି ଚୋରା କାଠ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗୁରବାର ଦିନ ଦ୍ୱିପ୍ରହରରୁ ଏହି ଗଛ କଟା ଆରମ୍ଭ ହୋଇଥିବା ସମ୍ପର୍କରେ ଡିଏଫ୍‌ଓ କାର୍ଯ୍ୟାଳୟରୁ ସୂଚନା ପାଇ ବନ ବିଭାଗ ଚଢ଼ାଉ କରିଥିଲା। ଜବତ ଶାଳ କାଠଗୁଡ଼ିକୁ ଶୁକ୍ରବାର ୪ଟି ଟ୍ରାକ୍ଟର ଯୋଗେ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଜବତ କାଠଗୁଡ଼ିକର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗୀୟ ଅଧିକାରୀ ପବିତ୍ର ମୋହନ ନାଏକ ପ୍ରକାଶ କରିଛନ୍ତି। ସାହାରପଡ଼ା ବନପାଳ ସୁକୁମାର ଜେନାଙ୍କ ସହ ପାଟଣା, ସାହାରପଡ଼ା ଫାୟାର ଓ ପାରା ସ୍କ୍ବାଡ ଚଢ଼ାଉରେ ସାମିଲ ଥିଲେ। ତେବେ ବାରମ୍ବାର ସମାନ ଢଙ୍ଗରେ ଚୋରା କାଠ ବେପାରୀମାନେ ଜିଲାର ବିଭିନ୍ନ ସ୍ଥାନରେ ଦିନଦ୍ୱିପ୍ରହରରେ ଜଙ୍ଗଲ କାଟି ନେଇ ସଫା କରୁଥିଲେ ହେଁ ବିଭାଗ ସେମାନଙ୍କ ଟେର୍‌ ପାଉନି। ଏହି ବେପାରୀମାନେ ଝାଡ଼ଖଣ୍ଡ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ କରତିଆଙ୍କୁ କାଠ କଟା କାର୍ଯ୍ୟରେ ନିୟୋଜିତ କରିଥିବା ଚର୍ଚ୍ଚା ହେଉଛି। ସେମାନଙ୍କ କବଳରୁ ଜଙ୍ଗଲକୁ ବଞ୍ଚାଇବାକୁ ଜିଲା ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ମିଳିତ ସ୍ବତନ୍ତ୍ର ସ୍କ୍ବାଡ ଗଠନ ପାଇଁ ପରିବେଶବିତ୍‌ମାନେ ଦାବି କରିଛନ୍ତି।