ଦୂର ହେଉନି ରୀନାଙ୍କ ଦୁଃଖ

ଆଠମଲ୍ଲିକ, ୧ା୬(ଡି.ଏନ.ଏ.)  ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ ସେ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବାରମ୍ବାର ବ୍ଲକକୁ ଦୌଡ଼ି ନିଜ ଦୁଃଖ ଜଣାଉଥିଲେ ବି କର୍ତ୍ତୃପକ୍ଷ ସରକାରଙ୍କ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରୁନାହାନ୍ତି। ଫଳରେ ପେଟ ପାଇଁ ଦାନା ଯେଗାଡ଼ କରିପାରୁନାହାନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପୁରୁଣାମାଣିତ୍ରୀ ଗ୍ରାମର ରୀନା ଲୋଈ(୨୪)। ପ୍ରଶାସନ କେବେ ତାଙ୍କ ଦୁଃଖ ଦୂର କରିବା ତାହାକୁ ଅପେକ୍ଷା କରିଛନ୍ତି ରୀନା।
ପୁରୁଣାମାଣିତ୍ରୀ ଗ୍ରାମ ଜାଗେଶ୍ୱର ଲୋଈଙ୍କ ଝିଅ ରୀନା ଜନ୍ମରୁ ଭିନ୍ନକ୍ଷମ। ରୀନାଙ୍କ କହିବା ମୁତାବକ, ହାତ ଗୋଡ଼ ଦୁର୍ବଳ ଯୋଗୁ ସେ ଚଲାବୁଲା କରିପାରୁନାହାନ୍ତି। ଏଥିପାଇଁ ତାଙ୍କ ବିବାହ ମଧ୍ୟ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ତାଙ୍କୁ ଭିନ୍ନକ୍ଷମ ବୋଲି ଚିହ୍ନଟ କରାଯାଇ ପ୍ରମାଣପତ୍ର ଦିଆଯାଇଛି। ସେଥିରେ ତାଙ୍କ ଶରୀର ୭୦ ଭାଗ ଅଚଳ ଥିବା ଦର୍ଶାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଭିନ୍ନକ୍ଷମ ଭତ୍ତାଟିଏ ପ୍ରଦାନ କରାଯାଇନାହିଁ। ୨ ବର୍ଷ ହେବ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରିବାକୁ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ନିୟମ ଅନୁଯାୟୀ ଆବେଦନ କରୁଛନ୍ତି। ହେଲେ କେହି ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ସହୃଦୟ ହୋଇ ଏ ଦିଗରେ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ପୁରୁଣାମାଣିତ୍ରୀ ସରପଞ୍ଚ ବୀରେନ୍ଦ୍ର ବଡମାଳି କହିଛନ୍ତି, ଏବେ ରୀନାଙ୍କ ଅଭିଯୋଗ ଦୃଷ୍ଟିକୁ ଆସିଛି। ପୂର୍ବରୁ କେହି ଯୋଗାଯୋଗ କରି ନ ଥିଲେ। ଖୁବ୍‌ଶୀଘ୍ର ରୀନାଙ୍କୁ ଭତ୍ତା ପ୍ରଦାନ ଦିଗରେ ଧ୍ୟାନ ଦିଆଯିବ।