Categories: ରାଜ୍ୟ

ଦୂରହେବ ଦୃଷ୍ଟିବାଧିତ ପିଲାଙ୍କ ପାଠପଢ଼ା ସମସ୍ୟା: ଜର୍ମାନୀରୁ ଆସିଲା ଉଚ୍ଚଶକ୍ତିସମ୍ପନ୍ନ ବ୍ରେଲ୍‌ ମେଶିନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟର ଦୃଷ୍ଟି ବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଉଚ୍ଚ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ ଜର୍ମାନୀରୁ ଅଣାଯାଇଛି। ଏହି ମେଶିନ ଦ୍ୱାରା ମାଧ୍ୟମିକ ସ୍ତରରେ ପଢ଼ୁଥିବା ଦୃଷ୍ଟି ବାଧିତ ପିଲାଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଠ୍ୟପୁସ୍ତକ ଛପାଯାଇପାରିବ। ଆସନ୍ତା ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହାକୁ ବ୍ରହ୍ମପୁରସ୍ଥିତ ରାଜ୍ୟର ଏକମାତ୍ର ବ୍ରେଲ୍‌ ପ୍ରେସ୍‌ରେ ସ୍ଥାପନ କରାଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏହି ମେଶିନ ପାଇଁ ୧.୧୮ କୋଟି ଟଙ୍କା ବ୍ୟୟ କରିଛି। ଏହି ମେଶିନ କମ୍ପ୍ୟୁଟର ସହାୟତାରେ ଆଲୁମିନିୟମ୍‌ ମାଷ୍ଟର ପ୍ଲେଟ୍‌ରେ ପ୍ରତି ସେକେଣ୍ଡକୁ ୧୬ଟି ଅକ୍ଷର ଛାପିବ। ପରେ ମୋଟା କାଗଜରେ ଘଣ୍ଟାପ୍ରତି ୧୦ ହଜାର ପୃଷ୍ଠା ଛପାଯାଇପାରିବ। ଏହାଦ୍ୱାରା ବ୍ରେଲ୍‌ ଛାପା କାର୍ଯ୍ୟ ନିର୍ଭୁଲ ଓ ପରିମାଣ ଦୃଷ୍ଟିରୁ ଅଧିକ ହେବ।
୧୯୭୪ରେ ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟରେ ୧୯୮୬ ନଭେମ୍ବରରେ ବ୍ରେଲ୍‌ ପ୍ରେସ୍‌ ଆରମ୍ଭ କରାଯାଇଥିଲା। ରାଜ୍ୟର ଏକମାତ୍ର ବ୍ରେଲ୍‌ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଭାବରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ପାଠ୍ୟ ପୁସ୍ତକ ପାଇଁ ୨୦୧୩ରେ ରାଜ୍ୟ ସରକାର ୧.୫୫ କୋଟି ଖର୍ଚ୍ଚ କରି ଦୁଇଟି ବ୍ରେଲ୍‌ ମେଶିନ ଆଣିଥିଲେ। ସେଥିରୁ ମାଷ୍ଟରପ୍ଲେଟ୍‌ ପ୍ରସ୍ତୁତ କରୁଥିବା ମେଶିନଟିର କ୍ଷମତା କମ୍‌ ଥିଲା। ଫଳରେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ବିଳମ୍ବ ହେଉଥିଲା। ଏଣିକି ଏହି ସମସ୍ୟା ବି ଦୂର ହେବ। ଭବିଷ୍ୟତରେ ଓଡ଼ିଆ ସାହିତ୍ୟର ପ୍ରମୁଖ ପୁସ୍ତକଗୁଡ଼ିକ ସମେତ ଉଚ୍ଚମାଧ୍ୟମିକ ସ୍ତରର ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବ୍ରେଲ୍‌ ପୁସ୍ତକ ପ୍ରକାଶ କରାଯିବାର ଯୋଜନା ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।