ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧଦେବ ଗିରଫ: ବନ୍ଧୁକ, ଗୁଳି, ମୋବାଇଲ ଜବତ

ବରଗଡ଼ ଅଫିସ,୭।୧୦: ବରଗଡ଼ ଟାଉନ ଥାନା ପୋଲିସ ସୋମବାର ସହର ଉପକଣ୍ଠ ଘୁଲିପାଲି ନିକଟରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେ ହେଲେ ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ଧୁଲୁଣ୍ଡାଗ୍ରାମର ଚିଆଁ ଓରଫ ବୁଦ୍ଧଦେବ ବିଶ୍ବାଳ(୩୬)। ତାଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଏବଂ ୪ଟି ମୋବାଇଲ ଫୋନ ଜବତ କରାଯାଇଛି।
ପ୍ରକାଶ ଯେ, ବୁଦ୍ଧଦେବ ଚିଆଁ ଘୁଲିପାଲି ଛକ ନିକଟରେ ଡକାୟତି ଯୋଜନା କରୁଥିଲେ। ସେଥିପାଇଁ ସେ ଅନ୍ୟ ସହଯୋଗୀଙ୍କ ଅପେକ୍ଷାରେ ଥିଲେ। ଏ ନେଇ ଟାଉନ ଥାନା ପୋଲିସକୁ ଖବର ମିଳିବା ପରେ ସେ ଜାଲ ବିଛାଇଥିଲା। ତେବେ ପୋଲିସ ଗାଡ଼ି ଦେଖି ବୁଦ୍ଧଦେବ ଫେରାର ହେବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ଟିମ୍‌ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ବୁଦ୍ଧଦେବ ଜାମୁର୍ଡା ଗୁଳିକାଣ୍ଡ, ହତ୍ୟାକାଣ୍ଡ ସମେତ ବରଗଡ଼, ଜମନକିରା, ଅମ୍ବାଭୋନା, ରେଙ୍ଗାଲି ଥାନାରେ ବିଭିନ୍ନ ମାମଲାରେ ଜଡିତ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ଏ ନେଇ ଟାଉନ ଥାନାରେ କେସ୍‌ ନଂ. ୪୫୯/୧୯ରେ ଏକ ମାମଲା ରୁଜୁ ହୋଇଛି।