ଦୁର୍ଘଟଣାରେ ୧୧ ଆହତ

ବହଳଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ରାଞ୍ଚି ବିଜୟୱ୍ବାଡା ୨୨୦ ନଂ. ଜାତୀୟ ରାଜପଥର ମାକିଡିଘାଟି ନିକଟରେ ଏକ ଡ୍ୟାନ୍ସ ଗ୍ରୁପକୁ ନେଇ ଆସୁଥିବା ଟାଟାମ୍ୟାଜିକ ସୋମବାର ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡ଼ି ଚାଳକଙ୍କ ସମେତ ୧୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମଇଷାଲଦା ଗ୍ରାମର ଗଣପତି ଡ୍ୟାନ୍ସ ଗ୍ରୁପର ଏକ ଟିମ୍‌ ଝାଡ଼ଖଣ୍ଡ ରାଜ୍ୟର କରଣ୍ଡିଠାରେ ରବିବାର କାର୍ଯ୍ୟକ୍ରମ ସାରି ଗାଡ଼ିରେ ଘରକୁ ଫେରୁଥିଲେ। ସୋମବାର ଭୋର ସମୟରେ ମାକିଡ଼ିଘାଟି ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଏ ନେଇ ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ୩ ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବହଳଦା ଡାକ୍ତରଖାନାକୁ ନିଆଯାଇ ଥିବାବେଳେ ଅନ୍ୟ ସମସ୍ତ ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତିରିଂ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ଗୁରୁତରଙ୍କ ମଧ୍ୟରେ ୪ ଜଣ ଝିଅ ଥିବାବେଳେ ୬ ଯୁବକ ଓ ଗାଡ଼ି ଚାଳକ ଥିବା ଜଣାପଡ଼ିଛି।