ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା କଲେ ରଞ୍ଜୀବ

ଭୁବନେଶ୍ୱର,୨୨।୨(ବ୍ୟୁରେ): ରାଜଧାନୀର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଖରା, ବର୍ଷାକୁ ଖାତିର ନ କରି ନିଜ ଦାୟିତ୍ୱ ତୁଲାଉଛନ୍ତି। ଅନେକ ସମୟରେ ସେମାନେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇ ସାବାସି ପାଇବା ସହ ଚର୍ଚ୍ଚାକୁ ଆସିଥାନ୍ତି। ଏହିଭଳି ଜଣେ ଟ୍ରାଫିକ ପୋଲିସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କର ପ୍ରାଥମିକ ଚିକିତ୍ସା କରି ସେ ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହତ୍‌ କାର୍ଯ୍ୟକୁ ସତ୍ୟଜିତ ଦାଶ ନାମକ ବ୍ୟକ୍ତି ଟୁଇଟ୍‌ କରିବା ସହ ସମ୍ପୃକ୍ତ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ପ୍ରଶଂସା କରିଛନ୍ତି।
ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଶହୀଦନଗର ଆଇଡିବିଆଇ ବ୍ୟାଙ୍କ ସ୍କୋୟାର ନିକଟରେ ଜଣେ ମହିଳା ସ୍କୁଟିରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଡାହାଣ ହାତ ଖଣ୍ଡିଆ ହୋଇ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କନଷ୍ଟେବଳ ରଞ୍ଜୀବ କଅଁର ଏହା ଦେଖିଥିଲେ। ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ଟ୍ରାଫିକ ପୋଷ୍ଟରେ ଥିବା ଫାଷ୍ଟ ଏଡ୍‌ ବକ୍ସ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ମହିଳାଙ୍କ କ୍ଷତାକ୍ତ ସ୍ଥାନ ସଫା କରିବା ସହ ଔଷଧ ଲଗାଇ ଗଜ୍‌ କପଡ଼ାରେ ବ୍ୟାଣ୍ଡେଜ୍‌ କରିଥିଲେ। ରଞ୍ଜୀବଙ୍କ ଏହି କାର୍ଯ୍ୟକୁ ଅନେକ ଲୋକ ଦେଖି ନିଜ ମୋବାଇଲ ଫୋନ୍‌ରେ ଭିଡିଓ ରେକର୍ଡିଂ କରିଥିଲେ, ଯାହା ଏବେ ଭାଇରାଲ ହୋଇଛି। ଏହା ପରଠୁ କେବଳ ରଞ୍ଜୀବଙ୍କ ନିକଟକୁ ନୁହେଁ ଟ୍ରାଫିକ ପୋଲିସ ପାଖକୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ସୂଚନାଯୋଗ୍ୟ, ଅନେକ ଛକର ଟ୍ରାଫିକ ପୋଷ୍ଟରେ ଫାଷ୍ଟ ଏଡ୍‌ ବକ୍ସ ରହୁଥିଲେ ମଧ୍ୟ ଏହାକୁ ବହୁ ଟ୍ରାଫିକ ପୋଲିସ ବ୍ୟବହାର କରୁନାହାନ୍ତି। ଯଦି ଏହାକୁ ବ୍ୟବହାର କରାଯାଆନ୍ତା ତାହାହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମେଡିକାଲ ଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ପାଇପାରନ୍ତେ। ଟ୍ରାଫିକ ଛକ ନିକଟରେ ଯଦି କାହାରି ଦୁର୍ଘଟଣା ଘଟେ ତେବେ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଟ୍ରାଫିକ ପୋଷ୍ଟଗୁଡ଼ିକରେ ଫାଷ୍ଟ ଏଡ୍‌ ବକ୍ସ ରଖାଯିବା ସହ ପୋଲିସକୁ ଟ୍ରେନିଂ ଦିଆଯାଉଛି। ମାତ୍ର ଏହାର ସଦୁପଯୋଗ କରାଯାଉ ନାହିଁ। ମାତ୍ର ଏବେ ରଞ୍ଜୀବଙ୍କ ଏହି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।