Categories: ଗଞ୍ଜାମ

ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ

ଛତ୍ରପୁର,୧୩ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ପରିସରରେ ରବିବାର ସର୍ବଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ। ମା’ ହିଁ ସଫଳତାର ଚାବିକାଠି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ନାରୀ ସଦନ ତଥା ବ୍ରହ୍ମପୁରସ୍ଥିତ ସରକାରୀ ବାଳିକା ପର୍ଯ୍ୟବେକ୍ଷଣ ଓ ସ୍ବତନ୍ତ୍ର କେନ୍ଦ୍ରର ଜି. ଶର୍ମିଳା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ,  ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଛତ୍ରପୁର ଜୀବିକା ମିଶନ ବ୍ଲକ ସଂଯୋଜିକା ମାନିନୀ ଜେନା, ଶିକ୍ଷାବିତ୍‌ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲାର ୮ଜଣ ମହିଳାଙ୍କୁ ଆଦର୍ଶ ମା’ ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା’ ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବା ସହ ଛତ୍ରପୁର ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମା’ଙ୍କ ଉଦ୍ଦେଶ୍ୟରେ ଏକ ଡ୍ୟାନ୍ସ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସମ୍ପାଦିକା ସୋନାଲି ଶତପଥୀ ସଂଯୋଜନା କରିଥିବା ବେଳେ ତୁଷାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟ ପକ୍ଷରୁ ମୋ ମା’ ନାମରେ ଏକ ସଙ୍ଗୀତ ରିଲିଜ କରାଯାଇଥିଲା।