Categories: ଅନୁଗୋଳ

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ

ଛେଣ୍ଡିପଦା,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ଏହି କ୍ଷୀରକୁ ନିମ୍ନମାନର ଦର୍ଶାଇବା ସହିତ ଓଜନରେ ମଧ୍ୟ ଠକୁୁଥିବା ଚାଷୀମାନେ କହିଛନ୍ତି। ୫୦ ଲିଟର କ୍ଷୀର ଛେଣ୍ଡିପଦା ଓମ୍‌ଫେଡ୍‌ କେନ୍ଦ୍ରରେ ଦେଲେ ତାହାର ଓଜନ ୩୫ ଲିଟର ହେଉଥିବା କର୍ତ୍ତୃପକ୍ଷ କହୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।
ଏପରିକି ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରକାରର ଔଷଧ ସେମାନଙ୍କୁ ନ ଦେଇ ବାହାରେ ବିକ୍ରି କରି ଦେଉଥିବା ସେ କହିଛନ୍ତି। ଅନ୍ୟପଟେ ଦାନା କେଜି ୪୦ ରୁ ୫୦ ଟଙ୍କା ମୂଲ୍ୟରେ ମିଳୁଥିବା ବେଳେ କ୍ଷୀର ଲିଟର ପିଛା ୨୨ ଟଙ୍କା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି।
ଅନ୍ୟପଟେ ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ଚାଷୀଙ୍କୁ ୬ ମାସ ତଳେ ଦେଇଥିବା କ୍ଷୀରଟଙ୍କା ସେମାନେ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଦୁଗ୍ଧ ଶୀତଳୀକରଣ ଅଧିକାରୀ କେବେ ସେଠାକୁ ଆସୁ ନ ଥିବାରୁ ଘଟଣା ସମ୍ପର୍କରେ ଫୋନ ଯୋଗେ ଅଭିଯୋଗ ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଏ ସବୁ ସମସ୍ୟା ପ୍ରତି ଭବିଷ୍ୟତରେ କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ଚାଷୀ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।