ଦୁଇ ଯୁବକଙ୍କୁ ଅପହରଣ: ଜଣେ ଉଦ୍ଧାର, ଅନ୍ୟଜଣଙ୍କ ପତ୍ତା ମିଳୁନି

ପାଟପୁର,୨୭ା୫- ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକକୁ ଶନିବାର ଅପରାହ୍ନରେ ଅପହରଣ କରାଯାଇଥିଲା। ଜଣଙ୍କୁ ହାତଗୋଡ ବନ୍ଧାବେଳେ ଗ୍ରାମବାସୀ ରବିବାର ଉଦ୍ଧାର କରିଥିବାବେଳେ ଅନ୍ୟଜଣଙ୍କ ପତ୍ତା ମିଳିନାହିଁ। ଏନେଇ ପାଟପୁର ପୋଲିସ ନଂ.୧୧୫/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ବ୍ରହ୍ମପୁର ଶାସ୍ତ୍ରୀନଗରର ଯୁବକ ବିଭୁ ପ୍ରସାଦ ଦାସ (୨୦), ଗଜପତି ଜିଲା ଅଡବା ଗ୍ରାମର ଉଦ୍ଧବ ଗୌଡ଼ ଓ ଅଡବା ଥାନା ପଦାଗାଁର ଗଙ୍ଗାଧର ପାତ୍ର ଏକ କାର୍‌ରେ ପାଟପୁର ଥାନା ତପ୍ତପାଣି ନିକଟସ୍ଥ ଶ୍ରୀରାମନଗର ଗ୍ରାମର ଜଣେ ଯୁବକଙ୍କ ଘରକୁ ଆସିଥିଲେ। ସମ୍ପୃକ୍ତ ଯୁବକ ଓ ତାଙ୍କ ସାନଭାଇ ପ୍ରଥମେ ବିଭୁଙ୍କୁ ବାଇକରେ ବସାଇ କେଉଁଆଡେ ନେଇଯାଇଥିଲେ। ପରେ ଆସି ବିଭୂକୁ ଆଣିବାକୁ ଯିବା କହି ଗଙ୍ଗାଧରଙ୍କୁ ନେଇ ଯାଇଥିଲେ। ନ ଫେରିବାରୁ ଉଦ୍ଧବ ଘଟଣା ସମ୍ପର୍କରେ ବିଭୂଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ରବିବାର ମଧ୍ୟାହ୍ନର ଗଙ୍ଗାଧରଙ୍କୁ ହାତବନ୍ଧା ଅବସ୍ଥାରେ କାଳୀବୋରେଇ ଜଙ୍ଗଲ ନିକଟରୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏନେଇ ବିଭୂଙ୍କ ଦାଦା ପାଟପୁର ଥାନାରେ ଏତଲା ଦେଇଛନ୍ତି। ମାତ୍ର ଖବର ଲେଖାହେବା ସୁଦ୍ଧା ବିଭୂଙ୍କ ପତ୍ତା ମିଳିନାହିଁ। କୌଣସି ଏକ ବ୍ୟବସାୟୀକ ଘଟଣାକୁ ନେଇ ଏପରି ଘଟିଥିବା ପୋଲିସ ଅନୁମାନ କରୁଛି।