ଦୁଇ ମାସରେ ଗଲାଣି ୩ ହାତୀଙ୍କ ଜୀବନ, ରୋକିବାରେ ବନ ବିଭାଗ ବିଫଳ

ମାଧପୁର,୨ା୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡ଼ାଗାଡ଼ି ବିଟ୍‌ ଘୋଡ଼ାଗାଡ଼ି ଖେଶ୍ରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଘୋଡ଼ାଗାଡ଼ି ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବାର ଖବର ପାଇ ଡିଏଫ୍‌ ଓ ଏସ୍‌.ଆନନ୍ଦ, ଏସିଏଫ୍‌ ଗୌରୀଶଙ୍କର ଦାସ, ରେଞ୍ଜର ସନ୍ତୋଷ ଭୋଇ, ଫରେଷ୍ଟର ଦୀପ୍ତିରଞ୍ଜନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟି ପୂର୍ବରୁ ମରିଥିବାର ଅନୁମାନ କରାଯାଉଛି। ଦନ୍ତା ହାତୀର ଗୋଟିଏ ଦାନ୍ତ ରହିଥିବା ବେଳେ ଅନ୍ୟ ଏକ ଦାନ୍ତ ସ୍ପଷ୍ଟ ଜଣା ପଡୁନାହିଁ I ତେବେ ହାତୀଟିର କେମିତି ମୃତ୍ୟୁ ଘଟିଥିଲା ପୋଷ୍ଟମର୍ଟମ ପରେ ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି

ସୂଚନାଯୋଗ୍ୟ, ଗତ ଦୁଇ ମାସ ମଧ୍ୟରେ ଏହି ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା ତୃତୀୟ ଥର ପାଇଁ ନଜରକୁ ଆସିଛି। ଗତ ଅକ୍ଟୋବର ୧୫ରେ ମୁଣ୍ଡାପଡ଼ା ଠାରେ ଏକ ଦନ୍ତାହାତୀ ଏବଂ ଅକ୍ଟୋବର ୨୮ରେ ଶାନ୍ତିପୁରଠାରେ ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଥିଲା। ବାରମ୍ବାର ହାତୀ ମୃତ୍ୟୁ ଘଟଣା ନଜରକୁ ଆସୁଥିବାରୁ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଆଠମଲ୍ଲିକ ବନଖଣ୍ଡରେ କେତେବେଳେ ନିରୀହ ହାତୀ ଜୀବନ ହାରୁଛି ତ ଆଉ କେତେବେଳେ ମଣିଷ ଜୀବନ ଯାଉଛି। ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଥିପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଛି।