ଦୁଇ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

କେନ୍ଦୁଝର, ୮।୧(ସ୍ବ.ପ୍ର.)-କେନ୍ଦୁଝର ଟାଉନ ଥାନା ନରଣପୁର ଓଭରବ୍ରିଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଚିଲଦା ଗ୍ରାମରେ ରାଜମିସ୍ତ୍ରୀ କାମକରୁଥିବା ଈଶ୍ୱର ମହାନ୍ତ ଏକ ବାଇକ୍‌ରେ ଯାଉଥିଲେ। ବାଂଶପାଳ ବ୍ଲକ ଶୁଆକାଠି ଗ୍ରାମର ବିଶ୍ୱଜିତ ସାହୁ(୨୫) ଅନ୍ୟ ଏକ ବାଇକ୍‌ରେ ବିପରୀତ ଦିଗରୁ ଆସୁଥିବାବେଳେ ସା ୭ଟାରେ ଉଭୟଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଈଶ୍ୱର ମହାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବିଶ୍ୱଜିତ ସାହୁ ଗୁରୁତର ଆହୋତ ହୋଇଛନ୍ତି। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ବିଶ୍ବଜିତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବୁଧବାର ସକାଳେ ଈଶ୍ୱରଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ପୋଲିସ ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।