Categories: ଗଞ୍ଜାମ

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଧନନ୍ତର ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ସଚିବ ମହାନ୍ତି ପଞ୍ଚାୟତରେ ହେଉଥିବ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଉକ୍ତ ପଞ୍ଚାୟତରେ କ’ଣ ଆବଶ୍ୟକ ରହିଛି ପଚାରି ବୁଝିଥିଲେ। ପଞ୍ଚାୟତ କୋଠା ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ନିକଟରେ ଏକ ପାଇଖାନା ର୍ନିମାଣ ଲାଗି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉନ୍ନୟନମୂଳକ କାମ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତରେ ଆଉ କଣ ପ୍ରକଳ୍ପ ଦରକାର ବିଡ଼ିଓଙ୍କ ଜରିଆରେ ଜଣାଇବାକୁ କହିଥିଲେ। ବିଭିନ୍ନ ଦାବି ନେଇ ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ତୁରନ୍ତ ବଦଳି ପାଇଁ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସଚିବ ନରେନ୍ଦ୍ରପୁର ପଞ୍ଚାୟତକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାପରେ ହିଞ୍ଜିଳି ଅଭିମୁଖେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ହୃଷୀକେଶ ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ଗୋପାଳ ଚରଣ ପଟ୍ଟନାୟକ, ସମୀର ପ୍ରଧାନ, ମକରା ସ୍ବାଇଁ, ନିରଞ୍ଜନ ଜେନା, ଦୁର୍ଗାମାଧବ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।