ଦୁଇ ଓଡ଼ିଆ ଯବାନଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଲଦାଖ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍‌ଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି। ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ପ୍ରକାଶ ଯେ, ଗଲଓ୍ବାନ୍‌ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେଥିରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ବିୟରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ, ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବିଜାତଳା ବ୍ଲକ ଚମ୍ପାରଦା ଗ୍ରାମର ନନ୍ଦୁରାମ ଅଛନ୍ତି।