Categories: ଜାତୀୟ

ଦୀପାବଳିରେ ସାବଧାନ: ବାଣ ଫୁଟାଇଲେ ୭ ବର୍ଷ ଜେଲ୍‌ ଦଣ୍ଡ ସହିତ ଦେବାକୁ ପଡ଼ିପାରେ ୧୦ କୋଟି ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ,୨୩।୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଲୋକେ ଏହି ଅବସରରେ ବାଣ ଫୁଟାଇଥାନ୍ତି। ତେବେ ସରକାରୀ ନିୟମ ଅନୁସାରେ ବାଣ ଫୁଟାଇଲେ ୭ ବର୍ଷ ଜେଲ୍‌ ଦଣ୍ଡ ସହିତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ। ତେଣୁ ସୁପ୍ରିମ୍‌ କୋର୍ଟ ବାଣ ଫୁଟାଇବା ଉପରେ ନିଷେଦ୍ଧାଜ୍ଞା ଜାରି କରିଛନ୍ତି। ପରିବେଶ ସଂରକ୍ଷଣ ଆଇନ ଅନୁସାରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯିବାର ବ୍ୟବସ୍ଥା ରହିଛି। ଏନେଇ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମୋହନ ଶର୍ମା ଏବଂ ଆଇନଜୀବୀ କାଳିକା ପ୍ରସାଦ କାଲା କୁହନ୍ତି, ପ୍ରଦୂଷଣ ରୋକିବା ପାଇଁ ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଅଧିନିୟମ ପ୍ରଣୟନ କରାଯାଇଛି। ଏହାର ଉଲ୍ଲଂଘନ କଲେ ଦଣ୍ଡ ଭୋଗିବାକୁ ପଡ଼ିବ। ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ମଧ୍ୟ ଗଠନ କରାଯାଇଛି। ଏସବୁ ସଂସ୍ଥା ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନର ଅବମାନନା କରିବା ଅନୁଚିତ ବୋଲି ସେମାନେ ସୂଚିତ କରିଛନ୍ତି।

Share