Categories: ଜାତୀୟ

ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ ୬ଷ୍ଠ ସ୍ଥାନରେ ରହିଛି। ଗଞ୍ଜେଇ ବ୍ୟବହାର ବୃଦ୍ଧି ପାଉଥିବା ପୃଥିବୀର ପ୍ରମୁଖ ସହର ଉପରେ ଜର୍ମାନୀ କମ୍ପାନୀ ଏବିସିଡି ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୨ ମୁଖ୍ୟ ସହର ରହିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକା ସହର ନ୍ୟୁୟର୍କ ରହିଛି। ଏଠାରେ ବର୍ଷ ପିଛା ୭୭.୪୪ ମେଟ୍ରିକ୍‌ ଟନ୍‌ ଗଞ୍ଜେଇ ବ୍ୟବହାର ହୋଇଥାଏ। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ପାକିସ୍ତାନର କରାଚୀ ରହିଛି। ଏଠାରେ ବାର୍ଷିକ ୪୧.୯୫ ମେଟ୍ରିକ୍‌ ଟନ୍‌ ଗଞ୍ଜେଇ ବ୍ୟବହାର କରାଯାଇଥାଏ। ତୃତୀୟ ସ୍ଥାନରେ ଥିବା ଦିଲ୍ଲୀରେ ବାର୍ଷିକ ୩୮.୨୬ ମେଟ୍ରିକ୍‌ ଟନ୍‌ ଗଞ୍ଜେଇ ବ୍ୟବହୃତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ତଳକୁ ଚତୁର୍ଥ ସ୍ଥାନରେ ଥିବା ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ୩୬.୦୬ ମେଟ୍ରିକ୍‌ ଟନ୍‌, ପଞ୍ଚମ ସ୍ଥାନରେ ଥିବା ଇଜିପ୍ଟର କାଏରୋରେ ୩୨.୫୯ ମେଟ୍ରିକ୍‌ ଟନ୍‌ ଏବଂ ୬ଷ୍ଠ ସ୍ଥାନରେ ଥିବା ମୁମ୍ବାଇରେ ବାର୍ଷିକ ୩୨.୩୮ ମେଟ୍ରିକ୍‌ ଟନ୍‌ ଗଞ୍ଜେଇ ବ୍ୟବହାର ହେଉଥିବା ତାଲିକାରେ ପ୍ରକାଶ ପାଇଛି। ତାଲିକାର ୧୦ମ ସ୍ଥାନରେ କାନାଡ଼ାର ଟରାଣ୍ଟୋ ରହିଛି। ଏଠାରେ ବାର୍ଷିକ ୨୨.୭୫ ମେଟ୍ରିକ୍‌ ଟନ୍‌ ଗଞ୍ଜେଇ ବ୍ୟବହାର ହୋଇଥାଏ।

Share