ଦିବ୍ୟାଙ୍ଗ ଜଗନ୍ନାଥଙ୍କ ପରିବାରକୁ ‘ଆଶ୍ରୟ’ର ସାହାରା; ୩ ବର୍ଷ ଧରି ପ୍ଲାଟଫର୍ମରେ ବିତାଉଥିଲେ ରାତି

ବ୍ରହ୍ମପୁର ଅଫିସ,୨୩ା୯-ସମୟ ଓ ପରିସ୍ଥିତି ସେମାନଙ୍କୁ କରିଥିଲା ବାସହୀନ। ନିଜର ୪ ଭଉଣୀଙ୍କୁ ବିବାହ କରାଇବାକୁ ଯାଇ ସର୍ବସ୍ବ ହରାଇବା ପରେ ବ୍ରହ୍ମପୁର ରେଳଷ୍ଟେଶନରେ ନେଇଥିଲେ ଆଶ୍ରୟ ା ଭିନ୍ନକ୍ଷମ ହେତୁ କାର୍ଯ୍ୟ ମିଳୁ ନ ଥିବାରୁ ୫ ଟଙ୍କିଆ ଆହାର ଖାଇ କଷ୍ଟରେ ସ୍ତ୍ରୀ ଓ ଝିଅଙ୍କ ସହ ରେଳଷ୍ଟେଶନ ପ୍ଲାଟଫର୍ମରେ ରାତି କଟାଉଥିଲେ। କିନ୍ତୁ ଦୀର୍ଘ ୩ବର୍ଷ ଷ୍ଟେଶନରେ ରହିବା ପରେ ବ୍ରହ୍ମପୁର ମହାନଗର ନିଗମ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନ୍‌ୟୁଏଲଏମ୍‌) ସହଯୋଗରେ ନିର୍ମିତ ଆଶ୍ରୟ ଏବେ ସେମାନଙ୍କୁ ଦେଇଛି ବଞ୍ଚିବାର ସାହାରା। ଏହା କୁହନ୍ତି ଦମ୍ପତି ଜଗନ୍ନାଥ ମହାରଣା ଓ ରଶ୍ମିତା ମହାରଣା ା
୧୫ ବର୍ଷ ତଳେ ୪ ଭଉଣୀଙ୍କ ବାହାଘର ପାଇଁ ହିଞ୍ଜିଳିକାଟୁ ଅଞ୍ଚଳର ଘର, ଜମି ସବୁ ବିକ୍ରି ପରେ ବାପା, ମାଆ ଓ ବଡଭାଇ ସୁରଟରେ କାମ କରୁଛନ୍ତି। ଭିନ୍ନକ୍ଷମ ଯୋଗୁ ବାହାରକୁ କାମ କରିବାକୁ ଯାଇ ନ ପାରି ବ୍ରହ୍ମପୁରକୁ କାର୍ଯ୍ୟ ସନ୍ଧାନରେ ଆସି ନିଜ ସ୍ତ୍ରୀ ଓ ୫ ବର୍ଷର ଝିଅ ସହ ରେଳ ଷ୍ଟେଶନରେ ଆଶ୍ରୟ ନେଉଥିଲେ ା ବୁଲି ବୁଲି ଇଲେକ୍ଟ୍ରି କାମକରି ଯେଉଁ ଟଙ୍କା ପାଉଥିଲେ ସେଥିରେ ଜଗନ୍ନାଥ ଝିଅ ଓ ସ୍ତ୍ରୀ ଚଳୁଥିଲେ ା ୩ ମାସ ତଳେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅଧୀନ ଆଶ୍ରୟ ସୋସିଆଲ ମୋବିଲାଇଜରମାନେ ସେମାନଙ୍କୁ ରେଳଷ୍ଟେଶନରୁ ଆଣି ଆଶ୍ରୟରେ ସ୍ଥାନ ଦେଇଥିବା ଜଗନ୍ନାଥ କହିଛନ୍ତି। ଆଶ୍ରୟକୁ ଆସିବା ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଟିଏ ହେବା ସହ ଏନୟୁଏଲଏମ୍‌ ସହଯୋଗରେ ଜଗନ୍ନାଥଙ୍କ ରୋଜଗାର ତଥା କାର୍ଯ୍ୟ ଯୋଗାଇବା ଦିଗରେ ମଧ୍ୟ ପ୍ରୟାସ କରାଯାଉଥିବା ପରିଚାଳକଙ୍କ ପକ୍ଷରୁ ସୂଚନା ମିଳିଛି ା
ସୂଚନାଯୋଗ୍ୟ, ବ୍ରହ୍ମପୁରରେ ବାସହୀନ ଭାବେ ଜୀବନ ବିତାଉ ଥିବା ଅସହାୟ ଲୋକଙ୍କୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ୨୦୧୮ ଡିସେମ୍ବର ୧ରେ ‘ଆଶ୍ରୟ’ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା ା ନୂଆ ବସ୍‌ଷ୍ଟାଣ୍ଡରୋଡସ୍ଥିତ ପାୟଲ ହଲ ସମ୍ମୁଖରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମିତ ହୋଇଥିଲା ା କେନ୍ଦ୍ରରେ ୭୦ ପୁରୁଷ ଓ ମହିଳା ରହିବା ନେଇ ବ୍ୟବସ୍ଥା କରାଯିବା ସହ ବେଡ, ବେଡଶିଟ, କମ୍ବଳ ଓ ମଶାରି ଭଳି ଆବଶ୍ୟକ ସାମଗ୍ରୀ ମଧ୍ୟ ରଖାଯାଇଛି ା