ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି ଅଞ୍ଜନ। ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଓ ଅସହାୟମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କ୍ଷତ୍ରରେ ପ୍ରାଥମିକତା ଦେବାର ନିୟମ ରହିଥିଲେ ମଧ୍ୟ ଏହି ପଞ୍ଚାୟତରେ ଏହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଅଢଙ୍ଗାପାଳ ଗ୍ରାମର ବାମଦେବ ମହାନ୍ତଙ୍କ ପୁଅ ଅଞ୍ଜନ ମହାନ୍ତ। ଏକ ଦୁର୍ଘଟଣାଯୋଗୁ ସେ ସାରା ଜୀବନ ଭିନ୍ନକ୍ଷମ ପାଲଟିଯାଇଥିଲେ। ଘରର ରୋଜଗାରିଆ ପୁଅ ଅଞ୍ଜନ ଭିନ୍ନକ୍ଷମ ହେବା ଫଳରେ ପରିବାରର ଦୁଃଖ ବଢିଚାଲିଛି। ଘର ଖଣ୍ଡିଏ ପାଇଁ ସେ ତା୨୯।୫।୨୦୧୭ରେ ଆନୁଷଙ୍ଗିକ କାଗଜପତ୍ର ଦେଇ ଆବେଦନ କରିଥିଲେ ମଧ୍ୟ ୨ ବର୍ଷ ବିତିଗଲାଣି ହେଲେ ସେ ଘର ଖଣ୍ଡିଏ ପାଇନାହାନ୍ତି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଧାଇଁ ନୟାନ୍ତ ହେଉଥିଲେ ବି କେହି ଶୁଣୁନାହାନ୍ତି। ଦୁର୍ଘଟଣା ପରେ ପରିବାରର ବୋଝ ତାଙ୍କ ବୁଢାବାପା ଉଠାଉଥିଲେ ମଧ୍ୟ ଭାଗ୍ୟକୁ ଆଦରି ଘରେ ପଡିରହି ଅଞ୍ଜନ ଦିନ କାଟିଚାଲିଛନ୍ତି। ଏ ନେଇ ଜାମୁଦଲକ ସରପଞ୍ଚ ରମେଶ ମୁଣ୍ଡାଙ୍କୁ ପଚାରିବାରୁ ୨୦୧୧ ଅନୁଯାୟୀ ଯେଉଁମାନଙ୍କର ନାମ ତାଲିକାଭୁକ୍ତ ହୋଇଥିଲା ସେମାନଙ୍କୁ ଘର ପ୍ରଦାନ କରାଯାଉଛି। ତାଲିକାରେ ଅଞ୍ଜନଙ୍କର ନାମ ନ ଥିବାରୁ ତାଙ୍କୁ ଆବାସ ଯୋଜନା ଦିଆଯାଇନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏବିଡିଓ ଶରତଚନ୍ଦ୍ର ବାରିକ ଏଥିପ୍ରତି ଦୃଷ୍ଟି ଦିଆଯାଇ ଭିନ୍ନକ୍ଷମମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି।