Categories: ରାଜ୍ୟ

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ। ହେଲେ ସମସ୍ୟାବହୁଳ ଜୀବନ ଭିତରେ ମଧ୍ୟ ଏପରି ଅନେକ ଅଛନ୍ତି, ଯେଉଁମାନେ ନିଜର କଠୋର ଅଧ୍ୟବସାୟ ବଳରେ ହାସଲ କରିଛନ୍ତି ସଫଳତା। ଏଭଳି ଜଣେ ମେଧାବୀ ଛାତ୍ରୀ ହେଲେ ସୁନୀତା ସାମଲ। ଚଳିତ ମାଟ୍ରିକ ପରୀକ୍ଷାରେ ସେ ୮୮.୫ ପ୍ରତିଶତ ମାର୍କ ରଖି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ସୁନାଝିଅ।
ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମର ଦିନ ମଜୁରିଆ ମିଟୁ ସାମଲଙ୍କ ଝିଅ ସୁନୀତା ସ୍ଥାନୀୟ ସାରଙ୍ଗଧର ହାଇସ୍କୁଲର ଛାତ୍ରୀ। ମାଟ୍ରିକ ପରୀକ୍ଷାରେ ସେ ୬୦୦ରୁ ୫୩୧ ମାର୍କ ରଖିଛନ୍ତି।
ଅଭାବୀ ପରିବାର। ମିଟୁଙ୍କ ରୋଜଗାର ଉପରେ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ। ଅଭାବ ଅନଟନ ଭିତରେ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲେ ସୁନୀତା, ଯାହା ଆଜି ତାଙ୍କୁ ସଫଳ କରିଛି। ଫଳାଫଳ ସମ୍ପର୍କରେ ସୁନୀତା ନିଜ ପ୍ରତିକ୍ରିୟାରେ କୁହନ୍ତି, ସେ ଦୈନିକ ୬ରୁ ୭ଘଣ୍ଟା ପରିଶ୍ରମ କରୁଥିଲେ। ଏହି ସଫଳତା ପଛରେ ମା ରୁନୁ ସାମଲ, ବାପା ଏବଂ ଶିକ୍ଷୟିତ୍ରୀଶିକ୍ଷକ ପ୍ରେରଣା ରହିଛି। ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ମେଧାବୀ ସୁନୀତାଙ୍କୁ ବେଲଟିକିରି-କାଇମାଟି ଏସ୍‌ବିଆଇ ଶାଖା ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ଶାଖା ପରିଚାଳକ ଲୋକନାଥ ଚକ୍ର କୁମାର, ସହ ଶାଖା ପରିଚାଳକ ଲିପି ନାୟକ, ପ୍ରସନ୍ନ କୁମାର ବିଶ୍ୱାଳ, ଧନେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।