Categories: ଗଞ୍ଜାମ

ଦିନରେ ଆହାର କେନ୍ଦ୍ର, ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଗଞ୍ଜାମ,୨୦ା୫(ଡି.ଏନ.ଏ.)-ଗଞ୍ଜାମ ସହରର ବହୁ ପୁରାତନ ଭାରତୀ ବିଦ୍ୟାପୀଠ ନିକଟରେ ରହିଛି ମିନି ଷ୍ଟାଡିୟମ। ଏନ୍‌ଏସିର ପୂର୍ବତନ ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡାଙ୍କ ସମୟରେ ଏହାର ଭିତ୍ତିପ୍ରସ୍ତର କରାଯାଇଥିଲା। ୨୦୧୧ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଶା କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୨୦ ଲକ୍ଷ ଏବଂ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନଙ୍କ ହାତପାଣ୍ଠିରୁ ୫ ଲକ୍ଷ ଏପରି ମୋଟ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡ଼ିୟମ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଭାରତୀ ବିଦ୍ୟାପୀଠ ଅଧୀନରେ ଥିବା ଏହି ମିନି ଷ୍ଟାଡିୟମରେ ଜିଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ୨୬ରୁ ଅସ୍ଥାୟୀ ଭାବେ ଆହାର କେନ୍ଦ୍ର ଚାଲିଛି। ଷ୍ଟାଡିୟମରେ ଦିନରେ ଆହାର ପାଇଁ ଲୋକଙ୍କ ଗହଳି ହେଉଥିବା ବେଳେ ସନ୍ଧ୍ୟା ଏବଂ ରାତିରେ ଅସାମାଜିକ ଓ ମଦ୍ୟପଙ୍କ ଭିଡ଼ ଜମୁଛି। ଏପରିକି ଏହିଠାରୁ ରାହାଜାନି ଓ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ଗତ କିଛିମାସ ହେଲା ଗଞ୍ଜାମ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବା ଯୋଗୁ ଅସାମାଜିକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। କେବଳ ଲୋକ ଦେଖାଣିଆ ପାଇଁ ପୋଲିସ ବଜାରଠାରେ କିଛି ସମୟ ପାଇଁ ଗାଡ଼ି ରଖି ଫେରିଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ଥାନା ସେକେଣ୍ଡ ଅଫିସର (ଏସ୍‌ଆଇ) ହୃଷୀକେଶ ପଣ୍ଡାଙ୍କୁ ପଚାରିବାରୁ ଆଇଆଇସି ଯେପରି କହୁଛନ୍ତକି ସେପରି କରାଯାଉଛି ବୋଲି କହିଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥା ଢ଼ିଲା ସମ୍ପର୍କରେ ଆଇଆଇସି ସୁଦାମ ମଲିକ କହିଛନ୍ତି ଯେ, ସେ ଏଠାକୁ ଆସିବା ଦିନଠାରୁ ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି। ଏଣିକି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଭାରତୀ ବିଦ୍ୟାପୀଠ କ୍ଲର୍କ ହରି ବାରିକ କହିଛନ୍ତି ଫନୀ ପାଇଁ ଉକ୍ତ ଷ୍ଟାଡିୟମ ଖୋଲା ଯାଇଥିଲା। ଏବେ ତାଲା ପଡିଥିଲେ ମଧ୍ୟ ଅସାମାଜିକମାନେ ପାଚେରି ଡେଇଁ ଭିତରେ ମଦ୍ୟପାନ କରୁଛନ୍ତି। ସ୍କୁଲ ହାଇମାଷ୍ଟ ଲାଇଟ ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି, ହେଲେ କିଛି ସୁଫଳ ମିଳିନି।