ଦିନଟିଏ ମନ୍ଦାରମାଳ

ବର୍ଷସାରା ଭଳିକି ଭଳି ଫୁଲ ଲାଗି ହୋଇଥାଆନ୍ତି ତିନିଠାକୁର। ଅଣସରରେ କେବଳ ଧଳାଫୁଲ ଲାଗି ହେଉଥିବା ବେଳେ ବର୍ଷକରେ ମାତ୍ର ଗୋଟିଏ ଦିନ ଠାକୁରଙ୍କ ରତ୍ନସିଂହାସନକୁ ମନ୍ଦାରମାଳ ଯାଇଥାଏ। ରାମଙ୍କ ବନବାସ ବେଳେ ଦେବୀ ସୀତାଙ୍କୁ ରାବଣ ଅପହରଣ କରିନେଇଥିଲା। ରାମ ସୀତାଙ୍କୁ ଖୋଜି ଖୋଜି ଲଙ୍କାରେ ଠାବ କରିଥିଲେ। ରାବଣ ସହ ଯୁଦ୍ଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ। ଏହି ପରମ୍ପରାକୁ ନେଇ ପୁରୀରେ ହୋଇଥାଏ ସାହିଯାତ। ସାହିଯାତର ଶେଷଦିନ ଅର୍ଥାତ୍‌ ରାବଣ ବଧ ଦିନ ରାବଣ ସହ ଯୁଦ୍ଧ କରିବା ପାଇଁ ରାମ ଶ୍ରୀଜଗନ୍ନାଥ ଶରଣାପନ୍ନ ହୋଇଥିଲେ। ଆଜ୍ଞାମାଳ ପାଇ ରାବଣ ସହ ଯୁଦ୍ଧ କରିବାକୁ ରାମ ବାହାରିବା ପରେ ପରେ ରାବଣ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନିକଟରେ ପହଞ୍ଚତ୍ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ରାବଣଙ୍କୁ ଏକ ମନ୍ଦାର ମାଳ ଦିଆଯାଇଥିଲା। କେବେ ମନ୍ଦାର ମାଳ ଲାଗି ହେଉ ନ ଥିବା ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନରେ ସେହିଦିନ ମନ୍ଦାରମାଳ ଲାଗି ହୋଇ ରାବଣକୁ ଦିଆଯାଏ। ରାବଣ ମନ୍ଦାରମାଳ ନେଇ ଯୁଦ୍ଧକୁ ଯାଆନ୍ତି ଏବଂ ପରାଜିତ ହୁଅନ୍ତି। ଏହି ପରମ୍ପରା ଏବେ ମଧ୍ୟ ଶ୍ରୀମନ୍ଦିରରେ ପ୍ରଚଳିତ ଅଛି।