ଦିନକରେ ୯୦୯ ପଜିଟିଭ

ନୂଆଦିଲ୍ଲୀ,୧୩।୪: ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ଭୂତାଣୁ ମହାମାରୀର ରୂପ ନେଇ ଭାରତକୁ ଗ୍ରାସ କରିବାରେ ଲାଗିଛି। ରବିବାର ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଦେଶରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୯,୧୬୬ରେ ପହଞ୍ଚିଛି। ମୋଟ ୩୨୫ ଜୀବନ ଗଲାଣି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ତାଲିକାରେ ରହିଛନ୍ତି ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜଧାନୀ ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶ। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧,୯୮୨ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧୪୯ ରହିଛି। ଗୋଟିଏ ଦିନରେ ଏଠି ୨୨୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧,୦୭୫ରେ ପହଞ୍ଚିଛି। ଏହି ରାଜ୍ୟରେ ୧୧ ବ୍ୟକ୍ତି କରୋନା ଭୂତାଣୁରେ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ପୁଣି ୧୦୬ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ଏହି ମହାମାରୀ ଭୂତାଣୁ ୧,୧୫୪ ଲୋକଙ୍କୁ କବଳିତ କରିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୨୪ ଛୁଇଁଛି। ପୁଣି ୮୫ ଭୂତାଣୁ ଆକ୍ରାନ୍ତଙ୍କୁ ଏଠାରେ ଚିହ୍ନଟ କରାଯାଇଛି। ରାଜସ୍ଥାନରେ ଅଦ୍ୟାବଧି ୭୯୬ ସଂକ୍ରମିତ ଥିବାବେଳେ ରବିବାର ୯୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏଠାରେ ୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ୪୩ ମୁଣ୍ଡ ଗଡ଼ିଲାଣି। ନୂଆ ୩୩୩ ସଂକ୍ରମିତଙ୍କୁ ମିଶାଇ ଏଠାରେ ମୋଟ ୫୬୨ ରୋଗୀ ରହିଥିବା ଜଣାପଡ଼ିଛି। ଗୁଜରାଟରେ ୫୧୬ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧିପାଇଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନାରେ ୫୦୩ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୪ ରହିଛି। ସେହିଭଳି କେରଳରେ ୨ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୭୫ରେ ପହଞ୍ଚିଛି। ଉତ୍ତରପ୍ରଦେଶରେ ୪୮୦ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୫ ରହିଛି।