Categories: ଗଞ୍ଜାମ

ଦିଗପହଣ୍ଡିରେ ଖୋଲିବ ସବ୍‌ଜଜ୍‌ କୋର୍ଟ

ଦିଗପହଣ୍ଡି,୧୮ା୪(ଡି.ଏନ.ଏ.)- ଦିଗପହଣ୍ଡିରେ ଖୁବଶୀଘ୍ର ଅତିରିକ୍ତ ଦେୱାନୀ ବିଚାରପତି (ବରିଷ୍ଠ) ତଥା ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏ ସମ୍ପର୍କିତ ଏକ ଚିଠି ମଙ୍ଗଳବାର ଆସି ପହଞ୍ଚତ୍ବା ପରେ ଓକିଲ ସଂଘ ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଗଞ୍ଜାମ ଜିଲାର ଦିଗପହଣ୍ଡି, କୋରାପୁଟ ଜିଲାର ଲକ୍ଷ୍ମୀପୁର, ପୁରୀ ଜିଲାର ପୁରୀ ସଦରରେ ଅତିରିକ୍ତ ୨ଟି ଏବଂ ମୟୂରଭଞ୍ଜ ଜିଲାର ବାରିପଦା ଭଳି ଚାରୋଟି ଜିଲାର ୫ଟି ସ୍ଥାନରେ ଏହି କୋର୍ଟ ଖୋଲିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଚିଠିରେ ଭିତ୍ତିଭୂମି ସଂକ୍ରାନ୍ତରେ ରିପୋର୍ଟ ପଠାଇବା ପାଇଁ ରହିଥିବା ନିର୍ଦ୍ଦେଶକୁ ଭିତ୍ତିକରି ମଙ୍ଗଳବାର ଦିଗପହଣ୍ଡି ଜେଏମ୍‌ଏଫସି ରଞ୍ଜନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହେବା ସହ ଭିତ୍ତିଭୂମି ସଂକ୍ରାନ୍ତରେ ଏକ ସକାରାତ୍ମକ ରିପୋର୍ଟ ପଠା ଯାଇଥିବା ମଧ୍ୟ ଜଣାପଡ଼ିଛି। ଓକିଲ ସଂଘ ପକ୍ଷରୁ ଉପସ୍ଥିତ କର୍ମକର୍ତ୍ତା ସଂଘ କାର୍ଯ୍ୟାଳୟର ଗୋଟିଏ ବଖରା ନୂଆ କୋର୍ଟ ପାଇଁ ଦେବାକୁ ସମ୍ମତି ପ୍ରଦାନ କରିଥିବା ବେଳେ ବିଡିଓ ହଳଧର ଶବରଙ୍କ ସହ ଆଲୋଚନା କରି ତହସିଲଦାର ଏୈତ କୁମାର ସ୍ବାଇଁ ବିଚାରପତିଙ୍କ ପାଇଁ ବାସଗୃହ ଯୋଗାଇ ଦେବାକୁ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ଏହି ନୂଆ କୋର୍ଟ ଖୋଲିବା ପରେ ଅଞ୍ଚଳବାସୀ ବହୁମାତ୍ରାରେ ଉପକୃତ ହେବାକୁ ଯାଉଥିବାରୁ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି।