ଦାରିଦ୍ର୍ୟ ନେଲା ଜୀବନ: ୩ ଭଉଣୀ ଏବେ ଅନାଥ, ଅସହାୟ

ଝୁମ୍ପୁରା, ୭।୧୨(ଡି.ଏନ.ଏ.)- ବର୍ଷକ ପୂର୍ବରୁ ମା’ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଥିଲେ। ଏବେ ବେକରେ ଦଉଡ଼ି ଲଗାଇ ବାପା ରାମ ମୁଣ୍ଡା (୫୩) ଆତ୍ମହତ୍ୟା କରିବା ପରେ କେନ୍ଦୁଝର ଜିଲା ଝୁମ୍ପୁରା ଥାନା, ଖେଣ୍ଡରା ପଞ୍ଚାୟତର ପାଟବିଲା ଗ୍ରାମରେ ତାଙ୍କ ୩ ଝିଅ ମନୀଷା (୧୪), ସାବିତ୍ରୀ (୧୨) ଏବଂ ସୁଚିସ୍ମିତା (୪ବର୍ଷ) ଅନାଥ, ଅସହାୟ ହୋଇପଡ଼ିଛନ୍ତି। ଅଭାବ ଅନଟନରେ ଦିନ ବିତାଉଥିବା ରାମ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ଲିଙ୍କ୍‌ କରାଇ ନ ପାରି ୪ ମାସ ହେବ ଚାଉଳ ନ ପାଇ ଶେଷରେ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଇଥିବା ତାଙ୍କ ପଡ଼ୋଶୀଙ୍କ ସମେତ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଝୁମ୍ପୁରା ପୋଲିସ ମୃତଦେହ ଉଦ୍ଧାର କରି ଗତ ୪ ତାରିଖରେ ବ୍ୟବଚ୍ଛେଦ କରାଇବା ପରେ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୧୯) ରୁଜୁକରି ତଦନ୍ତ କରୁଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ରାମ ମୁଣ୍ଡାଙ୍କ ସ୍ତ୍ରୀଙ୍କର ବର୍ଷକ ତଳେ ମୃତ୍ୟୁ ଘଟିବାରୁ ରାମ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ମୂଲମଜୁରି ଲାଗି ୩ ଝିଅଙ୍କ ମୁହଁରେ ଆହାର ଦେଉଥିଲେ। ମନୀଷା ଏବଂ ସାବିତ୍ରୀ ପାଠପଢ଼ା ଛାଡ଼ି ବାପାଙ୍କୁ ସାହାଯ୍ୟ କରିବା ସହିତ ଘରକାମ କରୁଥିଲେ। ସୁଚିସ୍ମିତା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିଲେ। ରାମ ମଜୁରି ଲାଗି ଯାହା ଆଣୁଥିଲେ ସେତିକିରେ ପରିବାର ଚଳାଇବା ସମ୍ଭବ ହେଉ ନ ଥିଲା। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଗରୁ ମିଳୁଥିବା ଚାଉଳ ତାଙ୍କ ଲାଗି ଭରସା ଥିଲା। ଆଧାର ଲିଙ୍କ୍‌ ନିୟମ ପରଠାରୁ ରାମ ପିଡିଏସ୍‌ ସାମଗ୍ରୀ ପାଇ ନ ଥିଲେ। ଏଭଳି ସ୍ଥିତିରେ ଅସହାୟ ହୋଇ ଗତ ୩ ତାରିଖରେ ରାମ ଆତ୍ମହତ୍ୟା କରିଥିବା ପଡ଼ୋଶୀମାନେ କହିଛନ୍ତି। ଗତ କିଛିଦିନ ହେବ ରାମ ତାଙ୍କ ବଡ଼ଭାଇଙ୍କ ଘରୁ ଚାଉଳ ଧାର ଆଣି ରୋଷେଇ କରିବାକୁ ଦେଉଥିଲେ ବୋଲି ତାଙ୍କ ବଡ଼ଝିଅ ମନୀଷା କହିଛନ୍ତି। ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ପଞ୍ଚାୟତବାସୀ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ରାମଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ତାଙ୍କ ୩ ଝିଅଙ୍କ ସମ୍ପର୍କରେ ଖବର ପାଇ ଚାଇଲ୍ଡଲାଇନ ପକ୍ଷରୁ ଦମୟନ୍ତୀ ମହାନ୍ତ, ଜଗଦୀଶ କାରୁଆ ପ୍ରମୁଖ ଯାଇ ସେମାନଙ୍କୁ ଭେଟିଥିବା ଜଣାପଡିଛି। ଏ ଦିଗରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରା କହିଛନ୍ତି। ଖେଣ୍ଡରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫୁଲମଣି ନାଏକଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।