ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଗିରଫ

ଦାରିଙ୍ଗବାଡି,୫।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଗତ କିଛିମାସ ତଳେ ତାଙ୍କୁ ବଳାତ୍କାର କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ି ପୋଲିସ ନଂ.୫୪/୧୯ରେ ମାମଲା ରୁଜୁକରି ତଦନ୍ତ କରିବା ସହ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ଅଞ୍ଚଳ ଡଡଡ଼ମାହା ଗ୍ରାମର ଜିରିମୟ ପ୍ରଧାନ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ଗତ ୮ମାସ ତଳେ ନାବାଳିକା ଜଣକ ଏକୁଟିଆ ବିଦ୍ୟାଳୟକୁ ଯାଉଥିବା ବେଳେ ଜିରିମୟ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାରିକୁ ନ କହି ଚୁପ୍‌ ରହିଥିଲେ। କିଛିଦିନ ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ଲୋକ ଏନେଇ ନାବାଳିକାଙ୍କୁ ପଚାରିବାରୁ ସେ ସମସ୍ତ ଘଟଣା କହିଥିଲେ। ଏନେଇ ଗ୍ରାମରେ ଏକ ବୈଠକ କରି ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗିରଫ ହୋଇଥିବା ଜିରିମୟଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରିମାଇନା କରିବା ପରେ କୋର୍ଟ ଚାଲାଣ କରିଛି। ନାବାଳିକାଙ୍କୁ ଫୁଲବାଣୀ ମେଡିକାଲରେ ଡାକ୍ତରିମାଇନା କରାଯାଇଥିବା ପୋଲିସ କହିଛି।