ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ୧୫ ଶ୍ରମିକ

ଦାରିଙ୍ଗବାଡ଼ି,୨୭।୩(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍‌, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ ଶ୍ରମିକ ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି। କାମ ବନ୍ଦ ଯୋଗୁ ସେମାନଙ୍କ ନିକଟରେ ଟଙ୍କା ସରିଗଲାଣି। କେତେକ ମାଲିକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ ସୁଦ୍ଧା ତାହା ନିଅଣ୍ଟ ପଡୁଛି। ସେପଟେ ବଜାରକୁ କୌଣସି ଜରୁରୀ କାର୍ଯ୍ୟରେ ବାହାରିଲେ ପୋଲିସ ଘଉଡାଉଛି। ଅନ୍ୟ ରାଜ୍ୟର ଲୋକ ହୋଇଥିବାରୁ ସେମାନେ ଭୟରେ ରହୁଛନ୍ତି।
ପ୍ରକାଶ ଯେ, ସମସ୍ତ ୧୫ ଶ୍ରମିକ ପଶ୍ଚିମବଙ୍ଗର ଡାଣ୍ଟାନ ଜିଲା ମେଦିନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ସହ ବାଲେଶ୍ୱର ଜିଲା ଜଳେଶ୍ୱର ମଧ୍ୟ ୨ଜଣ ଯୁବ ଶ୍ରମିକ ଫସି ରହିଛନ୍ତି। ସେମାନେ କହିଛନ୍ତି ଯେ, ଗତବର୍ଷଠାରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ନିର୍ମାଣ କରିବାକୁ ଆସିଥିଲେ। ମଝୀରେ ନିଜ ଗାଁକୁ ଯାଇ ପୁଣି ଫେବୃଆରୀ ମାସରେ ଦାରିଙ୍ଗବାଡ଼ି ଆସି କାର୍ଯ୍ୟକରୁଥିଲେ। କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାଙ୍କୁ ଏବଂ ତାଙ୍କ ସହ ରହିଥିବା ଅନ୍ୟ ଶ୍ରମିକମାନଙ୍କୁ ସମସ୍ତ ମଜୁରୀ ମିଳି ନ ଥିବାବେଳେ ସେମାନେ ଲକ୍‌ଡାଉନ ଯୋଗୁ ଗାଡିମୋଟର ବନ୍ଦ ଯୋଗୁ ଘରକୁ ଫେରିପାରୁନାହାନ୍ତି। ସେମାନଙ୍କୁ ଖାଇବା ପଇଁ ଆବଶ୍ୟକ ରାଶନ ଯୋଗାଇଦେବା ସହ କିଛି ଅର୍ଥଦେଲେ ସେମାନଙ୍କ ଚଳିବା ସହଜ ହେବ ବୋଲି କହିଛନ୍ତି। ଏନେଇ ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ୍‌ଶୀଘ୍ର ସେମାନଙ୍କୁ ଖାଇବା ସହ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ।