ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ନେସ୍କୋ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ରବିବାର ହରିଶ୍‌ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ଜିଲାର କର୍ମକର୍ତ୍ତା ଯୋଗଦେଇ ସାଙ୍ଗଠନିକ ସ୍ଥିତି ଓ ସଂଘର ବିଭିନ୍ନ ଦାବି ନେଇ ଆଲୋଚନା କରିଥିଲେ। ରାଜ୍ୟ ସରକାର ଓ ଶକ୍ତି ବିଭାଗ କର୍ମଚାରୀଙ୍କ ସମସ୍ୟାର ପ୍ରତିକାର କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ଆଗାମୀ ଦିନରେ ଏନେଇ ଏକ ବଡ଼ଧରଣର ଆନ୍ଦୋଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ନେସ୍କୋ ଶକ୍ତି କର୍ମଚାରୀ ସଂଘର ସ୍ଥାୟୀ ସଭାପତି ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଶ୍ରମିକମାନଙ୍କ ନ୍ୟାୟୋଚିତ ଦାବି ପୂରଣ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ମୌଳିକ ଅଧିକାର ପ୍ରଦାନ ଲାଗି ଏକ ବର୍ଷ ଧରି ସଂଘ କର୍ମକର୍ତ୍ତା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଏବଂ ଜଣେ ଅଧିକାରୀ ସଂଘ ପ୍ରତି ବୈମାତୃକ ମନୋଭାବ ପ୍ରକଟ କରୁଥିବା ସମ୍ପାଦକ ନିରଞ୍ଜନ ପତିଆରୀ ଅଭିଯୋଗ କରିଥିଲେ। ବଟକୃଷ୍ଣ ଜେନା, ମହେଶ୍ୱର ପ୍ରଧାନ, ପ୍ରଦୀପ ଦାସ, ନିଗମାନନ୍ଦ ଗିରି, ଶୁଭେନ୍ଦୁ ବେହେରା, ଭାଗୀରଥି ବେହେରା, ଗୋପାଳ ଚନ୍ଦ୍ର ମାଲକାରା, ଶିବ ନାରାୟଣ ଗିରି, ଅରବିନ୍ଦ ବୋଷ, କାହ୍ନୁଚରଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।