ଦାବିପତ୍ର ଦେଲେ ଡାକ୍ତର, କର୍ମଚାରୀ

ତାଳଚେର,୧୫ା୮(ନି.ପ୍ର.) ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ନର୍ସଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା, ଡାକ୍ତରଖାନା ପରିସରରେ ପୋଲିସ ଆଉଟପୋଷ୍ଟ ଖୋଲାଯିବା ଦାବିରେ ବୁଧବାର ତାଳଚେର ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ ଉପଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ଗତ ୫ ତାରିଖ ମଧ୍ୟରାତ୍ରିରେ ତାଳଚେର ବ୍ଲକ ସନ୍ଥପଡା ଗ୍ରାମର ସୂର୍ଯ୍ୟକାନ୍ତ ଦେହୁରୀ ଜଣେ ଡାକ୍ତର ଏବଂ ନର୍ସଙ୍କୁ ମାଡ ମାରିବା ସହ ଅଶାଳୀନ ବ୍ୟବହାର କରିଥଲେ। ଏ ସମ୍ପର୍କରେ ଡାକ୍ତର ଶଙ୍କର ଗାହାଣଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୯୧/୧୯ରେ ଏକ ମାମଲା ରୁଜୁ କରିଥିଲେ ବି ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ। ଫଳରେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଗତ ୧୦ ତାରିଖ ଠାରୁ ଡାକ୍ତର ଓ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି ଡ୍ୟୁଟି କରୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ୧୬ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।