ଦାଦନଙ୍କ ଗଣପଳାୟନକୁ ରୋକ

ନୂଆଦିଲ୍ଲୀ,୧ା୪: କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ ଲକ୍ଷାଧିକ ଦାଦନ ଶ୍ରମିକ ଜୀବିକା ହରାଇ ନାନା ଦୁର୍ଦ୍ଦଶା ଭୋଗିଛନ୍ତି। ଲକ୍ଷ ଲକ୍ଷ ଶ୍ରମିକ ଦିଲ୍ଲୀ ଛାଡ଼ିବା ପାଇଁ ବାହାରିଥିବାବେଳେ ଏହା ଗୁରୁତର ସଙ୍କଟ ସୃଷ୍ଟି କରିଛି। କେବଳ ଦିଲ୍ଲୀ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ଦାଦନ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଥିବା ଦେଖାଯାଇଛି। ତୁରନ୍ତ ଦାଦନଙ୍କ ଗଣପଳାୟନକୁ ରୋକିବା ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ସମ୍ପର୍କିତ ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଦାଦନ ଶ୍ରମିକଙ୍କ ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଦାଦନ ଶ୍ରମିକମାନଙ୍କୁ ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସୋମବାର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସବୁ ଦାଦନଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ଏବେ କୌଣସି ଶ୍ରମିକ ରାସ୍ତାରେ ନ ଥିବା କେନ୍ଦ୍ର ସରକାର ଅଦାଲତଙ୍କୁ ଅବଗତ କରାଇଛନ୍ତି। ବିଭିନ୍ନ ସହରରେ ୪.୪ କୋଟି ଦାଦନ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ ସେମାନେ ନିଜ ନିଜ ରାଜ୍ୟକୁ ଯିବାକୁ ଚାହୁଁଥିଲେ। ଫେରାଇନିଆଯାଇଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଥିବା ସରକାର କହିଛନ୍ତି।
କୋଭିଡ୍‌-୧୯ର ଚିକିତ୍ସା ଏବେ ସବୁଠୁ ଅଧିକ ପ୍ରାଥମିକତା ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ କହିଛନ୍ତି। କରୋନା ମହାମାରୀ ସମ୍ପର୍କିତ ସଦ୍ୟତମ ସୂଚନା ପ୍ରଦାନ ଲାଗି ୨୪ ଘଣ୍ଟା ମଧ୍ୟରେ ପୋର୍ଟାଲ ସ୍ଥାପନ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା କରୋନାକୁ ନେଇ ପ୍ରସାରିତ ହେଉଥିବା ମିଛ ଖବର ଜନିତ ଆତଙ୍କ ରୋକାଯାଇପାରିବ। ଭୂତାଣୁ ଅପେକ୍ଷା ଆତଙ୍କ ଅଧିକ ଜୀବନ ନେଇପାରେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସେଥିପାଇଁ ଅଟକି ରହିଥିବା ଦାଦନମାନଙ୍କୁ ଶାନ୍ତ କରିବା ଲାଗି ଭଜନ ଓ ନମାଜ ପାଠ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି। ସେମାନଙ୍କୁ ବୁଝାଶୁଝା କରିବାରେ ତାଲିମପ୍ରାପ୍ତ ପରାମର୍ଶଦାତା ଓ ସବୁ ଧର୍ମର ନେତୃବୃନ୍ଦଙ୍କୁ ନିୟୋଜିତ କରିବା ଲାଗି ମଧ୍ୟ ଅଦାଲତ ପରାମର୍ଶ ଦେଇଛନ୍ତି। ଏଥିସହିତ ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦାଦନ ଶ୍ରମିକଙ୍କୁ ବିଶୋଧନ କରିବାରେ ରାସାୟନିକ ମିଶା ପାଣି ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ତାହା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ସରକାର ଅଦାଲତଙ୍କୁ ଜଣାଇଛନ୍ତି। ପ୍ରଧାନ ବିଚାରପତି ବୋବ୍‌ଡେ ଏବଂ ଜଷ୍ଟିସ ନାଗେଶ୍ୱର ରାଓ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦାଦନ ସମ୍ପର୍କିତ ଦୁଇଟି ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ। କେରଳ ଏମ୍‌ପି ରାଜମୋହନ ଉନ୍ନିଥାନ ଏବଂ ପଶ୍ଚିମବଙ୍ଗର ଜଣେ ଏମ୍‌ପି ଏହି ପଟିଶନ ଦାଏର କରିଥିଲେ।

Share