ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ପାଇଁ ଘୋଷଣା କରିଛନ୍ତି। ଏହାକୁ ଏଆଇଡିଏସ୍‌ଓ ପକ୍ଷରୁ ତୀବ୍ର ବିରୋଧ କରାଯିବ ସହ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ସଂଗଠନ ତରଫରୁ କୁହାଯାଇଛି, ଗୋଟିଏ ପଟେ ବିଦ୍ୟାଳୟଗୁଡିକ ବନ୍ଦ ଥିବା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଉପର ଶ୍ରେଣୀର ପିଲାଙ୍କ ପାଖରୁ ପୁରୁଣା ପୁସ୍ତକ ଯୋଗାଡ଼କରି ପଢ଼ୁଛନ୍ତି। ମାତ୍ର ବ୍ୟବସାୟ ମନୋବୃତ୍ତି ରଖି ବୋର୍ଡ଼ କର୍ତ୍ତୃପକ୍ଷ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିଛନ୍ତି। ନୂଆ ବହି କିଣିବାକୁ ଯାଇ ଆର୍ଥିକ ଶୋଷଣର ଶିକାର ହେବେ। ବୋର୍ଡ଼ର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଛାତ୍ରୀଛାତ୍ର ବିରୋଧୀ। ଏଣୁ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ମାଗଣାରେ ବହି ଯୋଗାଇ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନରେ ଫି’ ଛାଡ ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଦାବି ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, କଟକ ଜିଲା ସଭାପତି ଭାଗ୍ୟରବି ଦାସ ଏବଂ ସମ୍ପାଦକ ବିନୋଦ ସେଠୀ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି।