ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି: ତଦନ୍ତ କଲେ ବିଡିଓ

ନୟାଗଡ଼ ଅଫିସ,୧୯ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ଦଶପଲ୍ଲା ବିଡିଓ ଦେବୀପ୍ରସାଦ ମହାନ୍ତି ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ୧୬ନଂ. ଓ୍ବାର୍ଡ ଖଣ୍ଡପଡ଼ାରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ମଙ୍ଗଳବାର ପୁନର୍ବାର ବଳକା ରହିଥିବା ଘରର ତଦନ୍ତ କରାଯିବ ବୋଲି ବିଡିଓ ମହାନ୍ତି ସୂଚନା ଦେଇଛନ୍ତି। ଶୁକ୍ରବାର ପାଖାପାଖି ୬୦ଟି ଘରର ତଦନ୍ତ କରାଯାଇଥିବା ବେଳେ ସେଥିରୁ ଏକାଧିକ ଅଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ହାତେଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ସୋମବାର ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବିଭୂତି ଭୂଷଣ ବରାଡ଼ ନାମକ ଜଣେ ଯୁବକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଯୋଗ୍ୟ ହିତାଧିକାରୀ ଏପରି କି ଯେଉଁମାନେ ପୂର୍ବରୁ ଘର ପାଇଛନ୍ତି ସେମାନେ ପକ୍କା ଘର ପାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଉକ୍ତ ୱାର୍ଡ଼ର କିଛି ବ୍ୟକ୍ତି ବିଭୂତିଙ୍କୁ ଧମକ ଦେଇଥିବା ବେଳେ ସେ ଶନିବାର ନିଜର ସୁରକ୍ଷା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।