ଦଳୀୟ ନିଷ୍ପତ୍ତି ଥିଲା: ଶାସ୍ତ୍ରୀ

ଲର୍ଡସ,୧୩।୭- ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ବ୍ୟାଟିଂ କ୍ରମର ୭ମ ସ୍ଥାନରେ ପଠାଇବାର କାରଣ ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ଧୋନୀଙ୍କୁ ନିମ୍ନକ୍ରମରେ କ୍ରିଜ୍‌କୁ ପଠାଇବାର ନିଷ୍ପତ୍ତି କ୍ରିକେଟ ଜଗତକୁ ଚକିତ କରିଦେଇଥିଲା। ୨୪୦ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ଧୋନୀଙ୍କୁ ରିଷଭ ପନ୍ତ, ଦୀନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବ୍ୟାଟିଂ କରିବାକୁ ପଠାଇଯାଇଥିଲା। ସେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ୭ମ ଉଇକେଟ ପାଇଁ ଦଳୀୟ ସ୍କୋରରେ ୧୧୬ ରନ୍‌ ଯୋଡ଼ିଥିଲେ। କିନ୍ତୁ ଭାରତୀୟ ଦଳକୁ ଜିତାଇ ପାରି ନ ଥିଲେ। ଏହା ସମ୍ପୂର୍ଣ୍ଣ ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଥିଲା। ଏହାକୁ ସମସ୍ତ ଖେଳାଳି ସମର୍ଥନ କରିଥିଲେ। ଏହା ଅତ୍ୟନ୍ତ ସରଳ ନିଷ୍ପତ୍ତି। କାରଣ ଦଳ ମ୍ୟାଚ୍‌ର ଅନ୍ତିମ ଓଭରଗୁଡ଼ିକରେ ଧୋନୀଙ୍କ ଅଭିଜ୍ଞତାର ଫାଇଦା ଉଠାଇବାକୁ ଚାହୁଁଥିଲା। ସେ ସର୍ବକାଳୀନ ଫିନିଶର। ଧୋନୀ ଶୀଘ୍ର ବ୍ୟାଟିଂକରି ଆଉଟ୍‌ ହୋଇଯାଇଥିଲେ, ଦଳ ପାଇଁ ମ୍ୟାଚ୍‌ ସେଠାରେ ଶେଷ ହୋଇଯାଇଥାନ୍ତା। ଏଣୁ ସେଭଳି ଧୋନୀଙ୍କୁ ବ୍ୟବହାର କରିବା ଅପରାଧ ହୋଇଥାନ୍ତା ବୋଲି ଶାସ୍ତ୍ରୀ କହିଛନ୍ତି। ଉଲ୍ଲେଖଥାଉ କି, ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଏକଦା ୯୨ ରନ୍‌ରେ ୬ ଉଇକେଟ ହରାଇସାରିଥିବା ଭାରତୀୟ ଦଳ ୨୦୮ରେ ୭ମ ଉଇକେଟ ହରାଇଥିଲା।

Share