ଦଲାଲଙ୍କ ଗିରଫ ଦାବି କଲେ ଦାଦନ

ବ୍ରହ୍ମପୁର ଅଫିସ୍‌,୬ା୧୨- କର୍ନାଟକରୁ ଖସି ଆସିଥିବା ୪୨ ଦାଦନ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଣେ ମୁଖ୍ୟ ଦଲାଲ୍‌ ଏବଂ ତାଙ୍କର ୩ ସହଯୋଗୀ ଏହି ଦାଦନ ଶ୍ରମିକମାନଙ୍କୁ କର୍ନାଟକ ଚାଲାଣ କରିଥିଲେ।
ମାସିକ ୧୩ହଜାର ଟଙ୍କା ଦରମା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଟଙ୍କାଟିଏ ମଧ୍ୟ ମିଳି ନ ଥିଲା। ଏପରିକି ଖାଇବାକୁ ଠିକ୍‌ରେ ଦେଉ ନ ଥିଲେ। ସ୍ଥାନୀୟ ପ୍ରଶାସନର ସହଯୋଗରେ ସେଠାରୁ ଖସି ଆସିଥିଲେ ଏହି ଦାଦନ ଶ୍ରମିକମାନେ। ବୁଧବାର ଶ୍ରମ କମିଶନର୍‌ଙ୍କ ନିକଟରେ ଅଭିଯୋଗ କରିବା ପରେ ଗୁରୁବାର ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦଲାଲମାନେ ନାନା ପ୍ରଲୋଭନ ଦେଖାଇ ସେମାନଙ୍କୁ ନିର୍ଯାତନା ଦେଇଛନ୍ତି। କେବଳ ସେମାନେ ନୁହନ୍ତି, ଏହି ଦଲାଲ୍‌ମାନେ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି । ସେଠାରେ ଶ୍ରମିକମାନେ ନିର୍ଯାତିତ ହେଉଛନ୍ତି। ଏଣୁ ତୁରନ୍ତ ଏହି ଦଲାଲମାନଙ୍କୁ ଗିରଫ କରିବାକୁ ଶ୍ରମିକମାନେ ଡିଆଇଜିଙ୍କ ନିକଟରେ ଦାବି କରିଛନ୍ତି।