Categories: ଗଞ୍ଜାମ

ଦର ବୃଦ୍ଧି ନ କଲେ ଆଖୁ ଦେବେନି ଚାଷୀ

ଆସିକା,୧ା୨(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଚଳିତ ବର୍ଷ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଆଖୁପେଡା ଆରମ୍ଭ ହୋଇଛି। ଶୁଭ ମୂହୁର୍ତ୍ତ ଦିନ ପ୍ରାୟ ୧ଟାବେଳେ କାରଖାନା ଆଖୁ ନାଳିରେ ଆଖୁପକାଯାଇ ଆନୁଷ୍ଠାନିକ ଭାବେ ଆଖୁପେଡା ଆରମ୍ଭ କରାଯାଇଥିଲା। ତେବେ ଆଖୁଚାଷୀଙ୍କୁ ସେମାନଙ୍କ ଆଖୁ କାଟିବା ଲାଗି ବିଧିବଦ୍ଧ କଟିଂ ଅର୍ଡର ଦେଇ କାରଖାନାକୁ ସ୍ବାଭାବିକ ଆଖୁପେଡା ଲାଗି ଆହୁରି ୪ ଦିନ ଲାଗିଯିବ ବୋଲି ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏହି କାରଖାନା ପରିସରଭୁକ୍ତ ଜିଲାର ବିଭିନ୍ନ ସ୍ଥାନରେ ୪ହଜାର ୨୫୦ ଏକର ଜମିରେ ଆଖୁଚାଷ କରାଯାଇଥିବାବେଳେ ସମୁଦାୟ ୮୬ ହଜାର ୩ଶହ ମେଟ୍ରିକ୍‌ ଟନ୍‌ ଆଖୁ ପେଡିବା ଲାଗି କାରଖାନା ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୈନିକ ୧୫ଶହ ଟନ୍‌ ହିସାବରେ ଆଖୁ ପେଡା ଗଲେ ସମୁଦାୟ ଆଖୁ ପେଡିବା ଲାଗି ପ୍ରାୟ ଅଢେଇ ମାସ ଲାଗିଯିବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ଏହି ଆଖୁପେଡା ଉତ୍ସବରେ କାରଖାନାକୁ ଆଖୁ ଯୋଗାଉଥିବା ଆଖୁଚାଷୀ ସଂଘ ନିଜକୁ ଦୂରେଇ ରଖିଛି। ଆଖୁଚାଷ ଲାଗି ମଜୁରି ଓ ଉପତ୍ାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଆଖୁଦର ବୃଦ୍ଧି ନିମନ୍ତେ ଚାଷୀ ଦାବି କରୁଛନ୍ତି। ଏଥିପ୍ରତି କାରଖାନା କର୍ତ୍ତୃପକ୍ଷ ଉଦାସିନ ମନୋଭାବ ପୋଷଣ କରିଥିବାରୁ ଆଖୁଚାଷୀମାନେ ଏହାର ପ୍ରତିବାଦରେ ଉତ୍ସବରେ ଯୋଗଦେଇ ନ ଥିବା ସଂଘର ସଭାପତି ସମୀର ପ୍ରଧାନ ପ୍ରକାଶ କରିଛନ୍ତି। ଏପରିକି ଆଖୁ ଦର ବୃଦ୍ଧି କରା ନ ଗଲେ ଆଖୁଚାଷୀମାନେ କାରଖାନା ପକ୍ଷରୁ ଦିଆଯାଉଥିବା କଟିଂ ଅର୍ଡର ଗ୍ରହଣ କରିବେ ନାହିଁ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି।