ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମ ବୋଝେଇ ଟିପ୍ପର

କଳିଙ୍ଗନଗର/ଡୁବୁରୀ, ୧୦।୧୨(ଡି.ଏନ.ଏ):ଯାଜପୁର ଜିଲା କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସୋମବାର ଏକ କ୍ରୋମ ବୋଝେଇ ଟିପ୍ପର ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦମ୍ପତି କ୍ରୋମ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ବାଇକ୍‌ ଆରୋହୀଙ୍କ ସମେତ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଦମ୍ପତି ଢେଙ୍କାନାଳ ଜିଲା ନିହଲ ପ୍ରସାଦ ଥାନା ଖଣ୍ଡବନ୍ଧ ପଞ୍ଚାୟତର କାଲୁଣୀଗୋଡା ଗଁାର ଅଲେଖ ସିଂ(୩୦) ଓ ସୁଚିସ୍ମିତା ନାଥ(୨୨) ହୋଇଥିବାବେଳେ ବାଇକ୍‌ ଆରୋହୀ ଜେନାପୁର ଥାନା ରାଇଛନ୍ଦା ଗ୍ରାମର ସୁଶାନ୍ତ କୁମାର ସାହୁ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଉଭୟ ସ୍ବାମୀ, ସ୍ତ୍ରୀ ଏକ ବାଇକ୍‌ରେ ଘରୁ ଦାନଗଦୀ ଯାଉଥିବାବେଳେ ବଙ୍ଗଳା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ଡୁବୁରୀରୁ ଚଣ୍ଡିଖୋଲ ଆଡକୁ ଯାଉଥିବା ଏକ କ୍ରୋମ ବୋଝେଇ ଟିପ୍ପର (ନଂ. ଓଡି୧୬ସି୭୪୮୫) ସାମ୍ନାରୁ ବାଇକ୍‌ରେ ଆସୁଥିବା ସୁଶାନ୍ତଙ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ସେଠାରେ ଛିଡ଼ା ହୋଇଥିବା ଦମ୍ପତିଙ୍କ ଉପରେ କ୍ରୋମ ଢାଳି ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଏବଂ କଳିଙ୍ଗନଗର ପୋଲିସ ପହଞ୍ଚତ୍ କ୍ରୋମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ଅଲେଖଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଛେଚେରା ହୋଇଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ସୁଚିସ୍ମିତା ଗର୍ଭବତୀ ଥିବାବେଳେ ତାଙ୍କର ଗର୍ଭସ୍ଥ ଶିଶୁଟି ନଷ୍ଟ ହୋଇଯାଇଥିବା ଶୁଣିବାକୁ ମିଳୁଛି। ଦୁର୍ଘଟଣା ଘଟାଇ ଥିବା ଟିପ୍ପରକୁ କଳିଙ୍ଗନଗର ପୋଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଟିପ୍ପର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।