ଦବିଲା ଫୁଲାଡ଼ି ଲୁହାପୋଲ : ଯାତାୟାତ ବିଚ୍ଛିନ୍ନ

ବାଲେଶ୍ୱର ଅଫିସ,୧୭।୫- ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଶନିବାର ସନ୍ଧ୍ୟାରେ ହଠାତ୍‌ ଦବିଯାଇଛି। ଘଟଣା ଜଣାପଡ଼ିବା ପରେ ଜିଲାପ୍ରଶାସନ ପକ୍ଷରୁ ଉକ୍ତ ପୋଲର ଦୁଇ ପାର୍ଶ୍ୱରେ ବାଡ଼ ବନ୍ଧାଯିବା ଓ ମାଟି ପକାଇ ଯାତାୟାତ ବନ୍ଦ କରାଯାଇଛି। ଫଳରେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା, ରୂପ୍‌ସା, ଫୁଲାଡ଼ିର ଲୋକେ ସହରକୁ ଆସିବା ପାଇଁ ପ୍ରାୟ ୧୫ କି.ମି. ବୁଲି ରେମୁଣା ଗୋଲେଇ ଦେଇ ଆସିବାକୁ ପଡ଼ିବ। ସେହିପରି ସହରରୁ ଉତ୍ତରବାଲେଶ୍ୱରକୁ ଯିବା ପାଇଁ ଉକ୍ତ ରାସ୍ତାକୁ ବ୍ୟବହାର କରିବା ବାଧ୍ୟ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ସହରକୁ ଆସୁଥିବା ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ଲକ୍‌ଡାଉନ୍‌ ସମୟରେ ମଧ୍ୟ ବାଧାପ୍ରାପ୍ତ ହେବ।
ସୂଚନା ଯେ, ମୟୂରଭଞ୍ଜ ଜିଲାରେ ଥିବା କାଳଡ୍ୟାମ୍‌ରୁ ଅଧିକ ପରିମାଣରେ ଜଳ ନିଷ୍କାସନ ହୋଇ ସୋନ ନଦୀ ମାଧ୍ୟମରେ ଆସି ବୁଢ଼ାବଳଙ୍ଗ ନଦୀରେ ମିଶିବାରୁ ଲୁହାପୋଲ ତଳେ ମାଟି ଅତଡ଼ା ଖାଇଥିଲା। ଫଳରେ ପୋଲ ଦବିଥିବାର ଜଣାପଡ଼ିଛି। ଏହାକୁ ପ୍ରଶାସନ ପକ୍ଷରୁ ମରାମତି କରିବାର ବ୍ୟବସ୍ଥା କରାଯିବା ପାଇଁ ଉଦ୍ୟମ ଜାରି ଥିବାବେଳେ ଯାତାୟାତ ବନ୍ଦ କରାଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।