ଦଙ୍ଗା, ଦାବାବଟି ଓ ମରଣାନ୍ତକ ଆକ୍ରମଣ ଘଟଣା: ଏନ୍‌ଏସ୍‌ଏରେ ବୁକ୍‌ ହେଲେ ପ୍ରଭାତ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ୫ ଲକ୍ଷ ଦାଦାବଟି ମାଗି ବିଚାରବିଭାଗୀୟ ହାଜତକୁ ଯାଇଥିବା ପ୍ରଭାତ କୁମାର ସେଠୀଙ୍କୁ କମିଶନରେଟ ପୋଲିସ ଏନ୍‌ଏସ୍‌ଏ(ଜାତୀୟ ନିରାପତ୍ତା ଆଇନ)ରେ ବୁଧବାର ବୁକ୍‌ କରିଛି। ସର୍ବସାଧାରଣରେ ଦଙ୍ଗା କରିବା, ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କ ଖେଳାଇବା, ଖଣ୍ଡା, ପିସ୍ତଲ୍‌ ଧରି ଆକ୍ରମଣ କରିବା ଏବଂ ବଟି ମାଗିବା ପରି ସଙ୍ଗିନ ଅପରାଧରେ ପ୍ରଭାତଙ୍କ ସମ୍ପୃକ୍ତି ରହିଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ଗତ ଫେବୃୟାରୀ ୧୯ ତାରିଖରେ ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଦୋକାନୀଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗି ବିଫଳ ହୋଇଥିଲେ। ତାପରେ ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଗିରଫ ହୋଇ ପ୍ରଭାତ ଜେଲ୍‌ ଯାଇଥିଲେ। କେବଳ ଏହି ଘଟଣା ନୁହେଁ,ତାଙ୍କ ବିରୋଧରେ ଅନେକ ମାମଲା ରହିଛି। ଯାଜପୁର ଜିଲା ବଇରୀ ଥାନା ଅଞ୍ଚଳରେ ଏକ ଦଙ୍ଗା ଘଟଣାରେ ତାଙ୍କର ସମ୍ପୃକ୍ତି ରହିଥିବାନେଇ ଥାନା ଅଧିକାରୀ ନାୟକ ସୂଚନା ଦେଇଛନ୍ତି। ପ୍ରଭାତ ହାଜତରୁ ବାହାରିଲେ ସମାଜ ପାଇଁ ବିପଦ ସୃଷ୍ଟିହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଜନତାଙ୍କ ସୁରକ୍ଷା ପାଇଁ ପ୍ରଭାତଙ୍କୁ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗ ଦେବା ପରେ ୧୫ ଜଣ ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏରେ ବୁକ୍‌ କରି ସାରିଲେଣି।