Posted inଫୁରସତ

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ ମିଳେ। ବୁଦ୍ଧଙ୍କ ଦେହାନ୍ତ ପରେ ତାଙ୍କ ଅନୁଗାମୀମାନେ ୨ ଭାଗ ‘ହୀନଯାନ’ ଓ ‘ମହାଯାନ’ରେ ବିଭକ୍ତ ହୋଇଥିଲେ। ହେଲେ ବର୍ତ୍ତମାନ ବୌଦ୍ଧଧର୍ମରେ ‘ବଜ୍ରଯାନ’ଅଧ୍ୟାୟ ଚାଲିଛି। ଏହାର ସୃଷ୍ଟି ଓଡ଼ିଶାରୁ ହିଁ ହୋଇଥିବା ବିଶ୍ୱାସ କରାଯାଏ। ଓଡ଼ିଶାରେ ଲଳିତଗିରି, ରତ୍ନଗିରି, ଉଦୟଗିରି, ଶାନ୍ତିସ୍ତୂପ ସମେତ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଜିଲା ଏବଂ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଅନେକ ବୌଦ୍ଧ କୀର୍ତ୍ତି ରହିଛି। ତେବେ ଓଡ଼ିଶା-ଆନ୍ଧ୍ର ସୀମାରେ ଅବସ୍ଥିତ ଗଜପତି ଜିଲାରେ ରହିଛି ଦକ୍ଷିଣ ଏସିଆର ସବୁଠାରୁ ଉଚ୍ଚତମ ବୌଦ୍ଧ ମନ୍ଦିର। ଏହି ମନ୍ଦିର ପଦ୍ମସମ୍ଭବ ତଥା ବୌଦ୍ଧ ମହାବିହାର ନାମରେ ପରିଚିତ। ଜିଲାର ମୋହନା ବ୍ଲକ୍‌ ଲୋବାରସିଂ ପଞ୍ଚାୟତ ଅଧୀନ ଜିରାଙ୍ଗଠାରେ ଅବସ୍ଥିତ ଏହି ମନ୍ଦିର ସମଗ୍ର ଦକ୍ଷିଣ ଏସିଆର ଉଚ୍ଚତମ ବୌଦ୍ଧ ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି।

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ୱାରା ୨୦୧୦ମସିହାରେ ଏହି ମନ୍ଦିର ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟତଃ ବୌଦ୍ଧ ଧର୍ମ ଉପରେ ଅଧ୍ୟୟନ ଓ ଅଭ୍ୟାସ ପାଇଁ ମନ୍ଦିରର ନିର୍ମାଣ ହୋଇଥିଲା। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ବୌଦ୍ଧ ଧର୍ମର ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ମହାନ୍‌ଗୁରୁ ପଦ୍ମସମ୍ଭବ ଅଷ୍ଟମ ଶତାବ୍ଦୀରେ ତିବ୍ବତଠାରେ ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ। ସେହି ମହାନ୍‌ ଗୁରୁ ପଦ୍ମସମ୍ଭବଙ୍କର ଜନ୍ମ ଓଡ଼ିଶାରେ ହୋଇଥିବାରୁ ତାଙ୍କୁ ସ୍ମରଣ କରିବା ପାଇଁ ଓଡ଼ିଶାର ଗଜପତି ଜିଲା ଅନ୍ତର୍ଗତ ଜିରାଙ୍ଗଠାରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ଏଠାକାର ବୌଦ୍ଧ ମନ୍ଦିରର ମୁଖ୍ୟ ଜିଗ୍ନେରିନ୍‌ ପୋଚ୍ଚେ ପ୍ରକାଶ କରିଛନ୍ତି। ଏହି ବୌଦ୍ଧ ମନ୍ଦିରଟି ତିବ୍ବତ, ନେପାଳ ଏବଂ ଭୁଟାନର କଳାକୃତିରେ ନିର୍ମାଣ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟରେ କେତେକ ସ୍ଥାନୀୟ କାରିଗରଙ୍କ ଭୂମିକା ମଧ୍ୟ ରହିଥିବା ଜଣାପଡ଼ିଛି ା ଏହି ବୌଦ୍ଧ ମନ୍ଦିରଟି ପ୍ରାୟ ୧୦ଏକର ଜମିରେ ଅବସ୍ଥିତ। ସେହିପରି ବୌଦ୍ଧବିହାର ପାଇଁ ପ୍ରାୟ ୮କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଏ। ସେହିପରି ଏଠାରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୧୭ଫୁଟ ବୋଲି ଜଣାଯାଏ। ଏହି ବୌଦ୍ଧ ମହାବିହାର ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଯାହାକି ଜିଲାର ବିକାଶରେ ଅନେକ ସହାୟକ ହୋଇପାରିଛି ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ଜିରାଙ୍ଗ ତଥା ନିକଟସ୍ଥ ଚନ୍ଦ୍ରଗିରିରେ ପ୍ରାୟ ୨୦୦ ବୌଦ୍ଧ ଭିକ୍ଷୁ ବସବାସ କରୁଛନ୍ତି। ତିବ୍ବତୀୟମାନଙ୍କ ପାଇଁ ଏଠାରେ ଏକ ସ୍ବତନ୍ତ୍ର ବିଦ୍ୟାଳୟ ମଧ୍ୟ ରହିଛି। ମୁଖ୍ୟ ମନ୍ଦିର ବ୍ୟତୀତ ଏଠାରେ ବୌଦ୍ଧ ଭିକ୍ଷୁଙ୍କ ପ୍ରାର୍ଥନା ନିମନ୍ତେ କେତେକ ଛୋଟ ମନ୍ଦିର ମଧ୍ୟ ରହିଛି। ଏଠାରେ ୧୯୬୪ମସିହାରୁ ୧୯୬୭ ମସିହା ମଧ୍ୟରେ ତିବ୍ବତୀୟ ଶରଣାର୍ଥୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯାଇଥିଲା। ଏଠାରେ ଏବେ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ତିବ୍ବତୀୟ ବାସ କରୁଥିବାର ଜଣାପଡ଼ିଛି ା ସେମାନଙ୍କ ପାଇଁ ଏଠାରେ ଏକ ତିବ୍ବତୀୟ ଜଡ଼ିବୁଟି ଚିକିତ୍ସାଳୟ ଏବଂ ଏକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଠାରେ ଥିବା ବାର୍ଦ୍ଧକ୍ୟ ଆବାସିକ ସ୍ଥଳରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ବସବାସ କରୁଛନ୍ତି। ଏହି ତିବ୍ବତୀୟମାନେ ଏଠାରେ ମୁଖ୍ୟତଃ ମକା, ବାଜରା ଆଦି ଚାଷ କରି ଜୀବିକା ନିର୍ବାହ କରନ୍ତି। ବିଦେଶୀ ତୀବ୍ବତୀୟ କୁକୁର ପାଇଁ ଏହି ଅଞ୍ଚଳ ବେଶ୍‌ ଜଣାଶୁଣା। ଏହା ବ୍ୟତୀତ ଶୀତ ବସ୍ତ୍ର ବ୍ୟବସାୟ ଏମାନଙ୍କ ମୁଖ୍ୟ ଜୀବିକା ଏବଂ ଏହା ସାଧାରଣରେ ବେଶ୍‌ ଆଦୃତ। ତିବ୍ବତୀୟମାନଙ୍କ ସହାୟତା ପାଇଁ ଏଠାରେ ଏକ ସମବାୟ ସମିତି ମଧ୍ୟ ଖୋଲାଯାଇଥିବା ଜଣାପଡ଼ିଛି।

ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର କରାଯାଉଛି। ହେଲେ ଏହାକୁ ଅଧିକ ବ୍ୟାପକ କରାଯାଇପାରିଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ଏବଂ ଜିଲାର ବିକାଶରେ ସହାୟକ ହୋଇପାରିବ ବୋଲି ଜିଲାର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri