ଦଇତାପତିଙ୍କର ହେବ କରୋନା ଟେଷ୍ଟ: ୨୭, ୨୮ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୬ା୫: ଦଇତାପତିମାନେ ସର୍ବଦା ମହାପ୍ରଭୁଙ୍କୁ ମିଳିତ ଭାବେ ସେବା ଯୋଗାଇ ଦେଇଥାନ୍ତି। ତେଣୁ ସେମାନଙ୍କର ସେବା ହେଉଛି ଗୋଷ୍ଠୀଗତ ସେବା। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ମୁତାବକ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡିରେ କେତେ ଦଇତାପତି ସାମିଲ ହେବେ ତାହା ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ବୈଠକ ହୋଇ ସବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ପହଣ୍ଡିରେ ୬୦, ଶ୍ରୀବଳଭଦ୍ରଙ୍କ ୫୦, ଦେବୀ ସୁଭଦ୍ରାଙ୍କ ୩୦ ଏବଂ ଶ୍ରୀସୁଦର୍ଶନଙ୍କ ପହଣ୍ଡିରେ ୧୦ ଦଇତାପତି ସାମିଲ ହେବେ। ସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ସରି ରୁନ୍ଧା ହେବା ପରେ ସ୍ନାନମଣ୍ଡରେ ସୀମିତ ସଂଖ୍ୟକ ସେବାୟତ ରହିବେ। କୋଭିଡ୍‌ ଗାଇଡ୍‌ଲାଇନକୁ ପାଳନ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ମହାପ୍ରଭୁଙ୍କ ନୀତି କରାଯିବ ବୋଲି ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି। ସେହିପରି ଦଇତାପତି ସେବକମାନେ ହୋମ୍‌ କ୍ବାରାଣ୍ଟାଇନରେ ରହିବେ। ଏଥିସହ ଯେଉଁମାନେ ମହାପ୍ରଭୁଙ୍କ ନୀତିରେ ସାମିଲ ହେବେ ସେମାନଙ୍କର କରୋନା ଟେଷ୍ଟ ହେବ। ଏଥିପାଇଁ ଆସନ୍ତା ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯିବ। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।