Categories: ଖେଳ

ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

ପୁଣେ, ୧୦ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ବିବାଦୀୟ ଏଲ୍‌ବିଡବ୍ଲ୍ୟୁର ସମ୍ମୁଖୀନ ହେବା ପରେ ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)।

ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ୪୮ ରନ୍‌ର ପାଳି ଖେଳିବା ପରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ କୋହଲି। ସେ ୧୯ତମ ଓଭରରେ ଡଓ୍ବୋଲ୍ଡ ବ୍ରେଭିସଙ୍କ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଫିଲ୍ଡ ଅମ୍ପାୟର ଆଉଟ୍‌ ଦେବାରୁ କୋହଲି ରିଭ୍ୟୁ ନେଇଥିଲେ। ରିପ୍ଲେରୁ ବଲ୍‌ ଏକା ସମୟରେ ବ୍ୟାଟ୍‌ ଏବଂ ପ୍ୟାଡ୍‌ରେ ବାଜିଥିବା ଜଣା ପଡ଼ିଥିଲା। କିନ୍ତୁ ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ଯଥେଷ୍ଟ ପ୍ରମାଣ ନ ଥିବା କହି ଏହାକୁ ଆଉଟ୍‌ ଦର୍ଶାଇଥିଲେ ଥାର୍ଡ ଅମ୍ପାୟର। ଏଭଳି ନିଷ୍ପତ୍ତିରେ ବିରକ୍ତ ହୋଇ କୋହଲି ପ୍ୟାଭିଲିଅନ ଫେରିବା ବେଳେ ଗ୍ରାଉଣ୍ଡରେ ବ୍ୟାଟ୍‌କୁ ବାଡ଼େଇଥିଲେ।

ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଆର୍‌ସିବି ଟୁଇଟରରେ ଏକ ପୋଷ୍ଟ ଶେୟାର କରାଯାଇଛି। ”ଏଲବିଡବ୍ଲ୍ୟୁ ସମ୍ପର୍କିତ ନିଷ୍ପତ୍ତି ଉପରେ ଏମ୍‌ସିସିର କ୍ରିକେଟ ନିୟମ ଆମେ ପଢ଼ୁଥିଲୁ। ଏମ୍‌ସିସିର ନିୟମ କହୁଛି, ଯଦି ବଲ ଷ୍ଟ୍ରାଇକର ବ୍ୟକ୍ତି ଏବଂ ବ୍ୟାଟ୍‌କୁ ଏକାସାଙ୍ଗରେ ସଂଯୋଗ କରେ, ତେବେ ବଲ ପ୍ରଥମେ ବ୍ୟାଟ୍‌ରେ ବାଜିଥିବା ଧରିନେବାକୁ ପଡ଼ିବ। ଦୁର୍ଭାଗ୍ୟବଶତଃ, ଚମତ୍କାର ୪୮ ରନ୍‌ର ପାଳି ଖେଳିବା ପରେ କୋହଲିଙ୍କୁ ଦୁଃଖିତ ହୋଇ ଫେରିବାକୁ ପଡ଼ିଲା“ ବୋଲି ଆର୍‌ସିବି ଟୁଇଟ୍‌ କରିଛି।

Share