ଥାନା ଛାତରୁ ଡେଇଁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ରୁଜୁ ହେଲା ହାଜତ ମୃତ୍ୟୁ ମାମଲା

ବୀରମହାରାଜପୁର, ୩୦ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନାରେ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥିବାବେଳେ ଛାତ ଉପରୁ ଡେଇଁ ପ୍ରାଣ ହରାଇଥିବା ଘଟଣା ଏବେ ନୂଆ ମୋଡ ନେଇଛି। ମୃତକଙ୍କ ପରିବାର ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ପୋଲିସ ଏହାକୁ ହାଜତ ମୃତ୍ୟୁ ମାମଲା ଭାବେ ଗ୍ରହଣ କରି ଅଧିକ ତଦନ୍ତ ଚଳାଇଛି।
ଟିଠିପାଲି ଗ୍ରାମର ଲିଙ୍ଗରାଜ ଅମାତ(୩୫) ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ଗଣ୍ଡଗୋଳ କରିଥିଲେ। ପୋଲିସ ଲିଙ୍ଗରାଜଙ୍କୁ କାବୁକରି ଥାନାକୁ ଆଣି ପଚରାଉଚୁରା କରୁଥିଲା। ସେତିକିବେଳେ ଲିଙ୍ଗରାଜ ଶୌଚାଳୟ ଯିବା ବାହାନାରେ ଥାନା ଛାତ ଉପରକୁ ଚାଲି ଯାଇଥିଲେ। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ପିଛା କରିଥିଲେ। ହେଲେ ସେ ହଠାତ୍‌ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍‌ସାର୍‌ ପଠାଯାଇଥିଲା। ତେବେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।