Categories: ଗଞ୍ଜାମ

ଥାନାରେ ଖତ ଖାଉଛି ଜବତ ଗାଡି

ବ୍ରହ୍ମପୁର ଅଫିସ,୨୯ା୯-ଏବେ ସବୁ ଥାନାର ଅବସ୍ଥା ଏକା ପରି ଜବତ ହେଉଥିବା ଗାଡିରେ ଭର୍ତ୍ତି ହେଲାଣି ଥାନା କ୍ୟାମ୍ପସ। ଦୀର୍ଘ ବର୍ଷ ଧରି ପଡି ରହିଥିବା ଗାଡିଗୁଡିକ ମାଟି ଖାଇ ନଷ୍ଟ ହେବାକୁ ବସିଲାଣି। ଆଗରୁ ଥାନାରେ ସିଜ ହୋଇ ରହିଥିବା ଜିନିଷ ଓ ଗାଡିଗୁଡିକ ନିଲାମ ହେଉଯାଉଥିଲା। ଫଳରେ କ୍ୟାମ୍ପସରେ ଆଉ ଏପରି ଅଳିଆ ଆବର୍ଜନା ହୋଇ ଏଗୁଡ଼ାକ ଦୀର୍ଘଦିନ ଧରି ପଡି ରହୁ ନ ଥିଲା। କିନ୍ତୁ ୨୦୦୯ରେ ଆଇନରେ ପରିବର୍ତ୍ତନ କରାଯାଇ ଏହି ଜବତ ଗାଡି ଗୁଡିକ ଥାନାରୁ ବାହାର କରିବା ପାଇଁ ଆବଶ୍ୟକ କାଗଜପତ୍ର ଏବଂ ଏ ସଂକ୍ରାନ୍ତୀୟ କେସର ସମାଧାନ ନ ହେବା ଯାଏ ତାହା ପଡି ରହୁଛି। ସେପଟେ କୋର୍ଟରେ କେସ୍‌ ସମାଧାନ ହେବା ବେଳକୁ ଗାଡି ଖରାବର୍ଷା ଖାଇ ନଷ୍ଟ ହୋଇଯାଉଛି। ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଥାନା ସମେତ ବ୍ରହ୍ମପୁର ସହରର ଟାଉନ ଥାନା, ବୈଦ୍ୟନାଥପୁର, ଗୋଷାଣୀନୂଆଗଁା ଓ ବଡବଜାର ଥାନାଗୁଡିକରେ ଏହି ଜବତ ଗାଡି ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ଚୋରି ଓ ଲୁଟ ମାମଲାରେ ବ୍ୟବହୃତ ବହୁତ ନମ୍ବର ବିହୀନ ବାଇକ୍‌ ରହିଛି। ଏଣୁ ଲୁଟେରାମାନେ କୋର୍ଟ କଚେରୀ ଧନ୍ଦାରେ ନ ପସି ଅନ୍ୟତ୍ର ଗାଡି ଚୋରି କରି ବ୍ୟବହାର କରୁଛନ୍ତି। ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ, ଚୋରି ଓ ଲୁଟ ଗାଡି ଯାଞ୍ଚ ବେଳେ ପୋଲିସ ହାତରେ ଧରା ହେଉଥିବା ବେଳେ ସେହି ଗାଡିଗୁଡିକ ନେବାକୁ ଲୁଟେରାମାନେ ପସନ୍ଦ କରୁନାହାନ୍ତି। ଏହି ସବୁ ଜବତ ଗାଡି ଗୁଡିକ ବର୍ଷ ବର୍ଷ ଧରି ପଡିରହୁଛି। ଫଳରେ ଥାନାରେ ଅଳିଆ ଆବର୍ଜନା ଜମା ହୋଇ ରହିବା ସହ ଅପରିଷ୍କାର ହେଉଛି। ଥାନା କ୍ୟାମ୍ପସର ଅର୍ଦ୍ଧାଧିକ ଜାଗା ମାଡି ବସିଥିବା ଏହି ଗାଡି ଗୋଦାମ ପାଇଁ ଅନ୍ୟ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ମଧ୍ୟ ବାଧା ଉପୁଜୁଛି। ଏନେଇ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର କୁହନ୍ତି, ଯାଞ୍ଚ ବେଳେ ଯେଉଁ ସବୁ ଗାଡି ପୋଲିସ ଧରୁଛି ସେତେବେଳେ ଆବଶ୍ୟକ କାଗଜପତ୍ର ପୋଲିସ ନିକଟରେ ଦାଖଲ କରି ମାଲିକ ଗାଡି ନେଇଯାଉଛନ୍ତି। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଓ ଲୁଟରେ ବ୍ୟବହାର ଗାଡି ଗୁଡିକ ପୋଲିସ ସିଜ କରୁଛି। ସେ ଗୁଡିକ ରିଲିଜ କରିବା ପାଇଁ କୋର୍ଟ ଅନୁମତିର ଆବଶ୍ୟକତା ରହିଛି। ଏବେ କେବଳ ସେହି ଗାଡିଗୁଡିକ ରିଲିଜ ନ ହୋଇ ଥାନାରେ ପଡି ରହିଛି। ପୋଲିସ ଯଥାସମ୍ଭବ ସେ ସବୁ ଜବତ ଗାଡିକୁ ରଖୁଛି। ଥାନା ପରିସର ଯଥାସମ୍ଭବ ପରିଷ୍କାର ରଖିବାକୁ ପୋଲିସ ପ୍ରୟାସ ଜାରି ରଖିଛି ବୋଲି ଅତିରିକ୍ତ ଏସପି ମିଶ୍ର କହିଛନ୍ତି।
ଥାନାରେ ଖତ ଖାଉଛି ଜବତ ଗାଡି