ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାକି ପଚରା ଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ଅଭିଯୋଗରୁ ପ୍ରକାଶ ଯେ, ଗତ ୨୯ ତାରିଖ ପୂର୍ବାହ୍ନରେ ଅନୁଗୋଳ ମହିଳା ମହାବିଦ୍ୟାଳୟକୁ ଦୁଇ ଯୁବକ ଆସିଥିଲେ। ଏକ କମ୍ପ୍ୟୁଟର ସଂସ୍ଥାର କର୍ମଚାରୀ ପରିଚୟ ଦେବା ସହ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆସିଛୁ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏପରି କି ସର୍ଭେରେ ସବୁ ତଥ୍ୟ ଠିକ୍‌ ଥିଲେ କଲେଜକୁ ପୁରସ୍କାର ମିଳିବ ବୋଲି ସୂଚନା ଦେଇଥିଲେ। ଦୁହେଁ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହାପରେ ସେମାନେ ମହାବିଦ୍ୟାଳୟରେ ଅଧ୍ୟୟନରତ କେତେଜଣ ଛାତ୍ରୀଙ୍କ ଫଟୋ, ମୋବାଇଲ ନମ୍ବର ଓ ଠିକଣା ସଂଗ୍ରହ କରିଥିଲେ। ତେବେ କୌଣସି କାରଣରୁ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଯୁବକ ଦ୍ୱୟ କୌଶଳର ସହିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ କର୍ତ୍ତୃପକ୍ଷ ଦୁହଁିଙ୍କୁ ଯୋଗଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଶେଷରେ କଲେଜ କର୍ତ୍ତୃପକ୍ଷ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କର ସନ୍ଧାନ ପାଇବା ସହ ଥାନାକୁ ଡକାଇ ପଚରା ଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଦାସ କହିଛନ୍ତି, ଦୁଇ ଯୁବକ ଆସିଥିଲେ। ନକଲି ପରିଚୟ ନେଇ ଛାତ୍ରୀଙ୍କୁ ଡାକି ପାଠପଢ଼ା, କ୍ଲାସ ଠିକ୍‌ ଭାବେ ହେଉଛି କି ନାହିଁ ପଚାରି ବୁଝିଥିଲେ। ତେବେ ଏ ନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।