ଥରେଇଲା ବର୍ଷା, କୋହଲା ପବନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କୋହଲା ପବନ ସାଙ୍ଗକୁ ବର୍ଷା ଦେହ ମୁଣ୍ଡ ଥରାଇ ଦେଇଛି। ଗତ ଦୁଇଦିନ ହେବ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶରେ ବାଦଲ ଘୋଡ଼ାଇ ରଖିବା ସହ ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବୁଧବାର ସକାଳୁ ଆରମ୍ଭ ହୋଇଯାଇଥିଲା ବର୍ଷା। କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୋଳ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଆଦି ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି। ଏପରି କି କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଏହି ବର୍ଷା ଯୋଗୁ ବିରି, ମୁଗ ଓ ପନିପରିବା ଫସଲ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଅଧିକାଂଶ ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ଭାଗର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ ତାରିଖରେ କନ୍ଧମାଳ , ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବାଧିକ ୨୨.୮ ମିଲିମିଟର ବର୍ଷା ହୋଇଥିବାବେଳେ ତାଳଚେରରେ ୧୩, ଚାନ୍ଦବାଲି ୯, କଟକ ୧୪, ଅନୁଗୋଳ ୧୦, ପୁରୀ ୬, ଭବାନୀପାଟଣା ୪.୪, ବଲାଙ୍ଗୀର ୧୧.୪, ଟିଟିଲାଗଡ଼ ୯, ନୟାଗଡ଼ ୭.୨, ଭୁବନେଶ୍ୱର ୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ କେତେକ ସ୍ଥାନରେ ଦିନର ତାପମାତ୍ରା ୫ରୁ ୭ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ଦୁଇଦିନ ତଳେ ଦିନର ତାପମାତ୍ରା ୨୨ରୁ ୩୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଥିବାବେଳେ ବର୍ଷା ଓ କୋହଲା ପବନ ଯୋଗୁ ହଠାତ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ତଳକୁ ଖସି ଯାଉଛି। ମାତ୍ର ରାତ୍ରୀର ତାପମାତ୍ରାରେ ସେଭଳି ହ୍ରାସ ହୋଇ ନାହିଁ। ଆସନ୍ତା ୯ ତାରିଖଠାରୁ ବର୍ଷା ଅପସରୀ ଯିବା ସହ ସର୍ବ ନିମ୍ନ ତାପମତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି ଅନୁମାନ କରାଯାଇଛି।