ଥମୁନି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ରାୟଗଡ଼ା ଅଫିସ,୧୪।୩- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡ଼ାଜାଲ ଗ୍ରାମରେ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶନିବାର ଜଣେ ଗର୍ଭବତୀ ରାସ୍ତାରେ ପ୍ରସବ କରିଛନ୍ତି। ସେ ୨ଟି ସନ୍ତାନ ଜନ୍ମ ଦେଇଥିବାବେଳେ ସେଥିରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହିଳା ଜଣଙ୍କ ହେଲେ ଫଗୁଣୀ ମାଝୀ। ଫଗୁଣୀଙ୍କ ଏପ୍ରିଲ ମାସରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ। ହେଲେ ତାରିଖ ପୂର୍ବରୁ ତାଙ୍କର ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗ୍ରାମର ମଝିରେ ନଦୀ ରହିଥିବାବେଳେ ଗ୍ରାମକୁ ଭଲ ରାସ୍ତାଟିଏ ନାହଁି। ଏଣୁ ତାଙ୍କୁ ପରିବାର ଲୋକେ ୩ କିମି ରାସ୍ତା ପାର କରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ତେବେ ରାସ୍ତାରେ ତାଙ୍କର ପ୍ରସବ ହୋଇଥିଲା। ସେ ଗୋଟିଏ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେଥିମଧ୍ୟରୁ ପୁଅଟି ବଞ୍ଚିଥିବାବେଳେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ପରେ ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।