ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ

ବଇଣ୍ଡା,୪।୬(ଡି.ଏନ.ଏ.)ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରୋଗୀ ତଥା ବାଟୋଇଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି। ତେବେ ଉକ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବରୁ ଥଣ୍ଡା ପାଣି ମିଳିପାରୁ ନାହିଁ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୬ ମାସ ତଳେ ପାଣି ଥଣ୍ଡା କରୁଥିବା ମେଶିନଟି ଅଚଳ ହୋଇପଡ଼ିଥିଲା। ଗ୍ରାମବାସୀ ଓ ହଣ୍ଡପା ବ୍ୟବସାୟୀ ସଂଘ ପକ୍ଷରୁ ଏ ନେଇ କିଶୋରନଗର ବ୍ଲକ ଜଳ ଯୋଗାଣ କାର୍ଯ୍ୟାଳୟଠାରେ ଅଭିଯୋଗ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଏହାର ମରାମତି କରାଯାଇନାହିଁ। ସେହିପରି ପ୍ରକଳ୍ପରେ ଲାଗିଥିବା ଗୋଟିଏ ଟ୍ୟାପ ଭାଙ୍ଗିଯାଇଥିବା ଯୋଗୁ ପାଣି ନଷ୍ଟ ହେଉଛି। ତୁରନ୍ତ ଟ୍ୟାପ ସହ ଉକ୍ତ ମେଶିନଟି ମରାମତି କରିବା ପାଇଁ ଗ୍ରାମର ସରୋଜ ମିଶ୍ର, ଅରକ୍ଷିତ ମିଶ୍ର, ସୁଶାନ୍ତ ସାହୁ, ପୂର୍ଣ୍ଣେନ୍ଦୁ ଶେଖର ଦେହୁରି, ଗଣେଶ୍ୱର ପ୍ରଧାନ, ପଞ୍ଚାନନ ସାହୁ, ବ୍ରଜବନ୍ଧୁ ସାହୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ହଣ୍ଡପା ସରପଞ୍ଚ ଅମୀୟ ପ୍ରଧାନ କହିଛନ୍ତି, ପ୍ରକଳ୍ପର ଦାୟିତ୍ୱ ଜଳ ଯୋଗାଣ ବିଭାଗଠାରେ ରହିଛି। ପଞ୍ଚାୟତକୁ ତାହା ହସ୍ତାନ୍ତର କରାଯାଇ ନାହିଁ। ପଞ୍ଚାୟତ ପକ୍ଷରୁ ମଧ୍ୟ ଏ ନେଇ ଜଳ ଯୋଗାଣ ବିଭାଗକୁ ଅବଗତ କରାଇଛି। ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ଉକ୍ତ ପ୍ରକଳ୍ପରେ ଥଣ୍ଡା କରିବା ପାଇଁ ଲାଗିଥିବା ମେଶିନଟି ଅଚଳ ହୋଇପଡ଼ିଥିବା ଯୋଗୁ ଥଣ୍ଡା ପାଣି ବାହାରୁନାହିଁ। ମେଶିନ ମରାମତି ପାଇଁ ବ୍ଲକରେ କର୍ମଚାରୀ ନାହାନ୍ତି। ଏ ନେଇ ଡିଭିଜନକୁ ଅବଗତ କରାଯାଇଛି। ତୁରନ୍ତ ପଦକ୍ଷେପ ନିଆଯିବ।